କୋରେଇ ଷ୍ଟେସନରେ ରେଳ ଚଳାଚଳ ସ୍ୱାଭାବିକ୍ : ଆଜିଠୁ ୫ ଦିନ ପର୍ଯ୍ୟନ୍ତ ୪ଟି ଟ୍ରେନ୍ର ରହଣି ବାତିଲ୍
କୋରେଇ : ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ ଗତକାଲି ଧ୍ୱଂସ୍ତବିଧ୍ୱସ୍ତ ହୋଇପଡିଥିବା କୋରେଇ ଷ୍ଟେସନରେ ରେଳ ଚଳାଚଳ ସ୍ୱାଭାବିକ୍ ହୋଇଛି । ଗତ ରାତି ୧୧ଟା ସୁଦ୍ଧା ଡାଉନ୍ ଲାଇନ୍ ରେ ଏବଂ ରାତି ୧୨ଟା ପରେ ଅପ୍ ଲାଇନ୍ ରେ ରେଳ ଚଳାଚଳ ସ୍ୱାଭାବିକ୍ ହୋଇଛି । ପ୍ରାୟ ୧୫ ଘଂଟାର ଉଦ୍ଧାର କାର୍ଯ୍ୟ ପରେ ଏଠାରେ ରେଳ ଚଳାଚଳ ସ୍ୱାଭାବିକ୍ ହୋଇଛି । ନିୟନ୍ତ୍ରିତ ଗତିରେ ଉଭୟ ଅପ୍ ଓ ଡାଉନ୍ ଲାଇନରେ ଟ୍ରେନ୍ ଚଳାଚଳ କରୁଛି ।
ଅନ୍ୟପକ୍ଷରେ କୋରେଇ ଷ୍ଟେସନରେ ଆଜିଠୁ ୫ ଦିନ ପର୍ଯ୍ୟନ୍ତ ୪ଟି ଟ୍ରେନ୍ ର ରହଣି ବାତିଲ୍ କରାଯାଇଛି । ସେଗୁଡିକ ହେଲା ଯାଜପୁର-କେନ୍ଦୁଝର ରୋଡ଼-ଭଦ୍ରକ ପାସେଞ୍ଜର, କଟକ-ଭଦ୍ରକ ପାସେଞ୍ଜର, ଭଦ୍ରକ-କଟକ ପାସେଞ୍ଜର ଓ ଭୁବନେଶ୍ୱର – ବାଲେଶ୍ୱର ପାସେଞ୍ଜର ଟ୍ରେନ୍ । ଅପରପକ୍ଷେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଘଟଣାର ଉଚ୍ଚ ସ୍ତରିୟ ତଦନ୍ତ ଚାଲିଛି । କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା, ଟ୍ରେନ୍ ରେ ତ୍ରୁଟି ନା ଟ୍ରାକ୍ ରେ ତୃଟୀ ରହିଥିଲା ତାକୁ ନେଇ ତଦନ୍ତ ଜାରୀ ରହିଛି ।
ସୂଚନା ଯେ, ସୋମବାର ସକାଳ ୬ଟା ୪୪ ମିନିଟ୍ ସମୟରେ କୋରେଇ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା ଏହି ମାଲବାହୀ ଟ୍ରେନ୍ । ଟ୍ରେନ୍ ଟି ଲାଇନଚ୍ୟୁତ ହେବା ପରେ ଏହାର ବଗି ପ୍ଲାଟଫର୍ମରେ ଥିବା ଟିକେଟ କାଉଂଟର ଛାତରେ ଧକ୍କା ଦେବା ଫଳରେ ଛାତଟି ଭୁଶୁଡ଼ି ପଡିବାରେ ଏହା ତଳେ ଚାପି ହୋଇ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ । ଦୁର୍ଘଟଣାରେ ଟ୍ରେନ୍ ର ୮ଟି ବଗି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଟିକେଟ କାଉଂଟର ଓ ଯାତ୍ରୀ ବିଶ୍ରାମ ଗୃହ ଧ୍ୱଂସବିଧ୍ୱଂସ୍ତ ହୋଇଯାଇଥିଲା । ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜ୍ ମଧ୍ୟ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିଲା ।
