ବିଜେବି କଲେଜରେ ପୁଣି ରାଗିଂ, ୩ ଗିରଫ
ଭୁବନେଶ୍ୱର : ବିଜେବି କଲେଜରେ ପୁଣି ରାଗିଂ । ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ୩ଜଣ ଛାତ୍ର ମାଡ଼ ମାରିଥିଲେ ।ଛାତ୍ରଙ୍କୁ ମାଡ଼ ମରା ଘଟଣାରେ ବଡ଼ଗଡ଼ ଥାନା ପୋଲିସ ଏକ ମାମଲା ରୁଜୁକରି ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ୩ଜଣ ଯୁକ୍ତ୨ ଛାତ୍ରଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି ।
ସୂଚନା ଯେ, ବିଜେବି କଲେଜ କ୍ୟାମ୍ପସରେ ଜଣେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ କିଛି ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଛାତ୍ର ଜଣକୁ ଗଛ ତଳେ ବସାଇ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଚାପୁଡ଼ା ଉପରେ ଚାପୁଡ଼ା, ଗୋଇଠା, ଧକ୍କା ମାରି ଚାଲିଲେ। କଲେଜ୍ କ୍ୟାମ୍ପସରେ ଏଭଳି ଘଟଣା ଘଟୁଥିଲେ ହେଁ ଅନ୍ୟଛାତ୍ର କିମ୍ବା କୌଣସି ଅଧ୍ୟାପକ, ଅଧ୍ୟାପିକା କେହି ରୋକିନଥିଲେ । ଆକ୍ରମଣ ଯୋଗୁଁ ଛାତ୍ର ଜଣଙ୍କ ଲହୁଲୁହାଣ ହୋଇଥିଲେ । କିଛି ସମୟ ପରେ ପୀଡ଼ିତ ଛାତ୍ରଙ୍କୁ ଆହତ ଅବସ୍ଥାରେ କେତେକ ସହପାଠୀ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ । ଖବରପାଇ ବାନ୍ଧବୀଙ୍କ ବାପା ସେଠାରେ ପହଞ୍ଚି ଛାତ୍ରଙ୍କୁ ଚିକିତ୍ସା କରି ଘରକୁ ନେଇଥିଲେ। ଉଦ୍ବେଗର କଥା ଛାତ୍ରଙ୍କ ତୁମୁଳକାଣ୍ଡକୁ ନେଇ କଲେଜ୍ ଉଠୁଥିବା ପଡ଼ୁଥିବା ବେଳେ କଲେଜ୍ରେ ଗଠନ ହୋଇଥିବା ଆଣ୍ଟି ରାଗିଂ ଟିମ୍ର ବି ଦେଖାଦେଇନଥିଲା । ଅନ୍ୟପକ୍ଷରେ କ୍ଷଣିକ ମଧ୍ୟରେ ଛାତ୍ରଙ୍କୁ ଆକ୍ରମଣ କରାଯିବା ସମୟର ଭିଡିଓ ମୋବାଇଲରୁ ମୋବାଇଲ୍କୁ ଏବଂ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।
ଛାତ୍ରୀଙ୍କ ବାପା ଘଟଣା ବିଷୟରେ ଜାଣିବା ପରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ବଡ଼ଗଡ଼ ଥାନା ପୋଲିସ ଏକ ମାମଲା ରୁଜୁକରି ୪ଜଣ ଛାତ୍ରଙ୍କୁ କାବୁ କରିଥିଲା । ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ଏଥିରେ ୨୦ରୁ ଅଧିକ ଛାତ୍ରଙ୍କ ସମ୍ପୃକ୍ତି ଥିବାରୁ ପୋଲିସ କଲେଜ୍ ସମେତ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ସୂଚନା ଯେ, କିଛିଦିନ ତଳେ ବିଜେବି କଲେଜ୍ର ଦୁଇ ଦୁଇଟି ରାଗିଂ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଘଟଣା ଲୋକଙ୍କ ମନରୁ ନଯାଉଣୁ ପୁଣି ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଅଭିଭାବକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚିନ୍ତାର ବିଷୟ ହୋଇଛି।
