ରବିଶଙ୍କର ଓ ଥରୁରଙ୍କ ଆକାଉଣ୍ଟ କଣ ପାଇଁ ଲକ୍ ହେଲା, ଦୁଇ ଦିନରେ ଉତ୍ତର ଦେବାକୁ ଟ୍ଵିଟରକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ଲାଗୁ ହେବା ପରଠୁ କେନ୍ଦ୍ର ସରକାର ଓ ଟ୍ଵିଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ଏହା ମଧ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ସଂସଦର ସ୍ଥାୟୀ କମିଟି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଟ୍ଵିଟର ଆକାଉଣ୍ଟ କଣ ପାଇଁ ଲକ୍ ହେଲା ତାର ଉତ୍ତର ଦୁଇ ଦିନ ଭିତରେ ଦେବାକୁ ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ଵିଟରକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦୀୟ କମିଟିର ଅଧ୍ୟକ୍ଷ ଶଶି ଥରୁର ନିର୍ଦ୍ଦେଶ ଦେଇଥିଲେ ଯେ, ରବିଶଙ୍କର ପ୍ରସାଦ ଓ ତାଙ୍କ ଆକାଉଣ୍ଟ ଉପରେ ରୋକ୍ ଲଗାଇବା ନେଇ ଟ୍ଵିଟରକୁ ଜବାବ ମଗାଯାଉ। ଏହି ବାବଦରେ ଦୁଇ ଦିନ ଭିତରେ ଉତ୍ତର ରଖିବାକୁ ଟ୍ଵିଟରକୁ କୁହାଯାଇଛି।
ସୂଚନା ଯେ, ଗତ ଜୁନ ୨୫ ତାରିଖରେ ଏକ ଘଣ୍ଟା ପାଇଁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ଵିଟର ଆକାଉଣ୍ଟ ବ୍ଲକ୍ କରାଯାଇଥିଲା। ଏଥିପାଇଁ ଟ୍ଵିଟର ଆମେରିକା ଆଇନର ଦ୍ଵାହି ଦେଇଥିଲା। ଟ୍ଵିଟର ଭାରତକୁ ନେଇ ଦୋମୁହାଁ ନୀତି ଆପଣଉଛି। କମ୍ପାନୀର ଏମିତି ଆଭିମୁଖ୍ୟ ଠିକ୍ ନୁହେଁ ବୋଲି ରବିଶଙ୍କର ପ୍ରସାଦ କହିଥିଲେ। ନିକଟ ଦିନରେ ଟ୍ଵିଟର ପ୍ରଥମେ ଭାରତର ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାର ଦୁଃସାହସ କରିଥିଲା। ପୁଣି ଦେଶର ଆଇଟି ମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ଲକ୍ କରି ଦେଇଥିଲା। ଏହା ପରେ ଜମ୍ମୁ-କଶ୍ମୀର ମାନଚ୍ଚିତ୍ରକୁ ବିକୃତ କରି ଅଲଗା ଦେଶ ଭାବେ ଚିତ୍ରଣ କରିଥିଲା। ଟ୍ଵିଟର ଆମେରିକା ଆଇନରେ ଚାଲୁଥିଲେ ମଧ୍ୟ ଏବେ ତାରି ବିରୋଧରେ ଭାରତର ଆଇନ ହିସାବରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଏବେ ଟ୍ଵିଟର ବିରୋଧରେ ଗୋଟିଏ ପରେ ଗୋଟିଏ ମୋକଦ୍ଦମା ରୁଜୁ କରାଯାଉଛି।
