ବାଲେଶ୍ୱର ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ : ଜୁନ୍ ୩୦ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ସଂଗ୍ରହ ହେବ ଧାନ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ବିଭିନ୍ନ ମଣ୍ଡିରେ ଶୁକ୍ରବାର ଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥାନୀୟ ସଦର ବ୍ଲକ ସାରଗାଁ ସମବାୟ ସମିତିରେ ଏହାର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ । ଚଳିତ ବର୍ଷ ପାଇଁ ଏହି ଧାନ ସଂଗ୍ରହ/କ୍ରୟ ପ୍ରକ୍ରିୟା ଜିଲାର ୧୦୯ଟି ମଣ୍ଡିରେ ଆସନ୍ତା ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲାର ମୋଟ୍ ୩୪ହଜାର ୮୮୧ଜଣ ଚାଷୀ ରବି ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଗତ ରବି ଋତୁରେ ଅମଳ ହୋଇଥିବା ଧାନକୁ ଚାଷୀମାନେ ନିକଟସ୍ଥ ମଣ୍ଡିରେ ବିକ୍ରି କରିପାରିବେ । ଧାନକ୍ରୟ କ୍ଷେତ୍ରରେ ସରକାରୀ ନିୟମର ଅନୁପାଳନ, ସମସ୍ତ ପର୍ଯ୍ୟାୟରେ ସ୍ୱଚ୍ଛତା ଅବଲମ୍ବନ ସହିତ ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଜିଲାରେ ମୋଟ ୪ଲକ୍ଷ ୩୬ହଜାର ୭୬୪ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇ ଥିବା ବେଳ ୨୨ଜଣ ମିଲର୍ସଙ୍କୁ ଏଥିରେ ସାମିଲ କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସୁ-ବ୍ୟବସ୍ଥିତ ଢଙ୍ଗରେ ଧାନ ସଂଗ୍ରହ ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯେଭଳି ସିଧାସଳଖ ଟଙ୍କା ପହଞ୍ôଚ ପାରିବ ତାହା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାଏଙ୍କ ସମେତ ଯୋଗାଣ ବିଭାଗ କର୍ମଚାରୀ, ସମବାୟ ସମିତିର କର୍ମକର୍ତ୍ତା ଓ ଚାଷୀମାନେ ଉପସ୍ଥିତ ଥିଲେ ।
