ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ : ବାଲ୍ୟବିବାହ ହେଉଥିବାର ସୂଚନା ଦେଲେ ୫ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ସଦ୍ଭାବନା ସଭାଗୃହରେ “ପିଲାଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଆକ୍ସନଏଡ୍ କାର୍ଯ୍ୟକ୍ରମ ପ୍ରବନ୍ଧକ ଘାସିରାମ ପଣ୍ଡା, ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ଅନୁପମା ସାହୁ ପ୍ରମୁଖ ଯୋଗଦେଇ ଜିଲାରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଜିଲା ବାଲ୍ୟ ବିବାହ ସଂଯୋଜିକା ଶକୁନ୍ତଳା ଦାସଙ୍କ ସମେତ ଶ୍ରମ ବିଭାଗ, ଶିକ୍ଷା ବିଭାଗ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବାଲ୍ୟ ବିବାହ କ୍ଷେତ୍ରରେ ସମ୍ପ୍ରତି ଜିଲାର ସ୍ଥିତି ଓ ଜିଲାରୁ ବାଲ୍ୟ ବିବାହକୁ ଦୂର କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସମନ୍ୱିତ ଉଦ୍ୟମରେ ଜିଲାରୁ ବାଲ୍ୟ ବିବାହକୁ ଦୂର କରିବା ପାଇଁ ସମସ୍ତେ ମତ ରଖିଥିଲେ ।
ବିଦ୍ୟାଳୟସ୍ତରରେ ଗଣ ଶପଥପାଠ, ଗ୍ରାମ କଲ୍ୟାଣ ସମିତି ଜରିଆରେ ଗ୍ରାମସ୍ତରୀୟ ଓ ଧାର୍ମିକ ଅନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି ପାଇଁ ଏଥିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବାଲ୍ୟ ବିବାହ ସୂଚନା ଆସିଲା ମାତ୍ରେ ଚାଇଲ୍ଡଲାଇନ୍, ପୋଲିସ୍, ଶିଶୁ ସୁରକ୍ଷା ୟୁନିଟ୍, ଜିଲା ଶିଶୁ ମଙ୍ଗଳ କମିଟି ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପ୍ରତ୍ୟେକ ବାଲ୍ୟ ବିବାହକୁ ରୋକିବା ଯେପରି ସୁନିଶ୍ଚିତ କରାଯାଇପାରିବ ସେଥି ନିମନ୍ତେ ଏହି ଅବସରରେ ନିଷ୍ପତ୍ତି ନିଆଯାଇଥିଲା । ଜିଲାରେ ବାଲ୍ୟବିବାହ ହେଉଥିବା ନେଇ ଠିକ୍ ସମୟରେ ସୂଚନା ପ୍ରଦାନ କଲେ ସୂଚନା ପ୍ରଦାନକାରୀଙ୍କୁ ୫ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ କାର୍ଯ୍ୟକ୍ରମରେ ଘୋଷଣା କରାଯାଇଥିଲା । ଆଗାମୀ ଦିନରେ ବାଲ୍ୟବିବାହ ମୁକ୍ତ ଗ୍ରାମକୁ ଏକ ଅଭିଯାନ ଭାବେ ଆଗେଇ ନେବା ପାଇଁ ଉପସ୍ଥିତ ଅତିଥି ଓ ସଦସ୍ୟମାନେ ପରାମର୍ଶ ଦେଇଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
