ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆର ହରି କୁମାର
ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆର ହରି କୁମାର । ଆଡମିରାଲ କେ.ବି ସିଂଙ୍କ ଠାରୁ ସେ ଆଜି(ମଙ୍ଗଳବାର) ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ଆର ହରି କୁମାର କହିଛନ୍ତି ଯେ, ‘ନୌସେନାର କର୍ମଚାରୀଙ୍କ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ଗୌରବର ବିଷୟ । ଜାତୀୟ ସାମୁଦ୍ରିକ ସ୍ବାର୍ଥ ଏବଂ ବିଭିନ୍ନ ଆହ୍ବାନ ଉପରେ ଧ୍ୟାନ ଭାରତୀୟ ନୌସେନାର ମୁଖ୍ୟ ଲକ୍ଷ୍ୟ । ମୁଁ ମୋର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଏହା ଉପରେ ଲଗାଇବି ଏବଂ ନୌସେନାକୁ ଏକ ବିରାଟ ଉପଲବ୍ଧି ଦେବା ପାଇଁ ସମସ୍ତ ଚେଷ୍ଟା କରିବି ।’ ସେହିପରି ଆଜି କାର୍ଯ୍ୟକାଳ ସରୁଥିବା ଆଡମିରାଲ କେ.ବି ସିଂ କହିଛନ୍ତି ଯେ, ଦୀର୍ଘ ଅଢେଇ ବର୍ଷ କୋଭିଡ ସଙ୍କଟ ମଧ୍ୟରେ ନୌସେନା ତା’ର ସର୍ବୋତ୍ତମ ପ୍ରଦର୍ଶନ କରିଛି । ନୌସେନା ସର୍ବଦା ଜାତି ଏବଂ ଦେଶବାସୀଙ୍କ ସାହାଯ୍ୟ ପାଇଁ ସହଯୋଗ କରିଛି ।
ତେବେ ଆର ହରି କୁମାର, ୧୯୮୩ ଜାନୁଆରୀରେ ଭାରତୀୟ ନୌସେନାର କାର୍ଯ୍ୟନିର୍ବାହୀ ଶାଖାରେ ନିଯୁକ୍ତି ପାଇଥିଲା । ତାଙ୍କର ଦୀର୍ଘ ଏବଂ ବିଶିଷ୍ଟ ସେବାର ପ୍ରାୟ ୩୯ ବର୍ଷ ମଧ୍ୟରେ, ସେ ବିଭିନ୍ନ କମାଣ୍ଡରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ । ସେ ଆଇଏନଏସ ନିଶାଙ୍କ, ଆଇଏନଏସ କୋରା ଏବଂ ଗାଇଡ୍ ମିସାଇଲ୍ ବିନାଶକାରୀ ଆଇଏନଏସ ରଣବୀର ପ୍ରମୁଖ ଅନେକ ଗୁରୁତ୍ବପୂର୍ଣ୍ଣ ମିଶନରେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ୱେଷ୍ଟର୍ଣ୍ଣ ଫ୍ଲାଇଟର ଫ୍ଲାଇଟ୍ ଅପରେସନ୍ ଅଫିସର ଭାବରେ କାର୍ଯ୍ୟ କରିଥିଲେ । ଆଜି ତାଙ୍କୁ ନୌସେନା ମୁଖ୍ୟ ଦାୟିତ୍ବ ଦିଆଯାଇଛି ।
