ପୁରୀ ଛୁଇଁବ ‘ଜୱାଦ’! ଉପକୂଳରେ ଆଲର୍ଟ
୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ଛୁଇଁବା ସମ୍ଭାବନା
ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଏସ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ଏବେ ଗୋପାଳପୁରରୁ ୪୭୦ କିମି ଦୂରରେ ରହିଛି । ପାରାଦୀପରୁ ଏହା ୫୮୦ କିମି ଦୂରରେ ରହିଛି । ଗତ ୬ ଘଂଟାରେ ଘଂଟାପ୍ରତି ଏହା ୨୨ କିମି ବେଗରେ ଆସୁଛି । କାଲି ରି-କର୍ଭ କରି ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ କି ନାହିଁ ଏଯାଏ ଆଇଏମଡି ସ୍ପଷ୍ଟ କରିନି । ଯଦି ସ୍ଥଳଭାଗ ଛୁଏଁ, ଅଳ୍ପ ଛୁଇଁ ବାତ୍ୟା ପୁଣି ସମୁଦ୍ର ମଧ୍ୟରେ ଯିବ । ସ୍ଥଳଭାଗ ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନର ବେଗ ଘଂଟାପ୍ରତି ୮୦ରୁ ୯୫ କିମି ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳମାନଙ୍କୁ ଉପକୂଳବର୍ତୀ ତଥା ତଳିଆ ଅଂଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ପ୍ରଭାବରେ ଶୁକ୍ରବାର ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଅନ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପୂର୍ବରୁ ୨୨,୭୦ରୁ ଊର୍ଦ୍ଧ୍ୱ ଡଙ୍ଗା ସମୁଦ୍ରରୁ ଫେରିଛନ୍ତି । ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ସେହିପରି ଡିସେମ୍ବର ୪ ଓ ୫ ତାରିଖ ଦୁଇଦିନ ପର୍ଯ୍ୟନ୍ତ ଉପକୂଳବର୍ତୀ ନଦୀରେ ଡଙ୍ଗା ଚଳାଚଳ ବନ୍ଦ କରିବା ପାଇଁ ଆଦେଶନାମା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ବୋଟଗୁଡ଼ିକୁ ଗୋପାଳପୁର ବନ୍ଦରରେ ଆଶ୍ରୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ବର୍ତମାନ ପର୍ଯ୍ୟନ୍ତ ୨୪୭ଟି ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଛି । ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରରେ ବିଦ୍ୟୁତ ସରବରାହ କାର୍ଯ୍ୟ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ସେହିପରି ନଗର ଉନ୍ନୟନ ବିଭାଗ ଓ ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଇବା ନିମନ୍ତେ ଆବଶ୍ୟକୀୟ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଜଳସଂପଦ ବିଭାଗ ପକ୍ଷରୁ ଶାଳିଆ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରେ ୯୦ ପ୍ରତିଶତରୁ ଅଧିକ ଜଳ ଗଚ୍ଛିତ ଅଛି । ସମ୍ଭାବ୍ୟ ବାତ୍ୟା ପରେ ହେବାକୁ ଥିବା ବର୍ଷା ଦ୍ୱାରା ଜଳଭଣ୍ଡାର ପୂର୍ଣ୍ଣ ହୋଇ ଜଳନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଜଳଭଣ୍ଡାରକୁ ଯଥାସମ୍ଭବ ଖାଲି କରାଯାଉଛି । ବାଣପୁର ଏବଂ ବାଲୁଗାଁ ଅଂଚଳରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଆଇଟି ବିଭାଗ ପକ୍ଷରୁ ଟେଲିକମ୍ ଅପରେଟର ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଏସଆରସି କହିଛନ୍ତି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗଭୀର ଅବପାତ ଉତର-ଉତରପଶ୍ଚିମ ଦିଗରେ ଗତ ୬ ଘଂଟାରେ ଘଂଟା ପ୍ରତି ୨୫ କିମି ବେଗରେ ଗତି କରି ଗୋଟିଏ ସାମୁଦ୍ରିକ ଝଡ଼ ବା ବାତ୍ୟା ‘ଜୱାଦ୍’ରେ ପରିଣତ ହୋଇଛି । ଏହା ପରବର୍ତୀ ସମୟରେ ଉତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଡିସେମ୍ବର ୪ ତାରିଖ ସକାଳ ସମୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ପହଂଚିବାର ସମ୍ଭାବନା ରହିଛି ଏବଂ ପରବର୍ତୀ ସମୟରେ ଏହା ଉତର-ଉତତରପୂର୍ବ ଆଡ଼କୁ ଦିଗ ପରିବର୍ତନ ସହ ଓଡ଼ିଶା ଉପକୂଳରେ ଗତିକରି ଡିସେମ୍ବର ୫ ତାରିଖ ମଧ୍ୟାହ୍ନ ସମୟରେ ପୁରୀ ପାଖାପାଖି ପହଂଚିବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଉତର-ଉତରପୂର୍ବ ଦିଗରେ ଗତି କରିବା ସହ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ‘ଜୱାଦ୍’ ବାତ୍ୟାରେ ‘ଜିରୋ କାଜୁଆଲିଟି’ ଆମର ଲକ୍ଷ୍ୟ । ସମସ୍ତେ ସତର୍କତା ପୂର୍ବକ ରାଜ୍ୟ ସରକାରଙ୍କ ନିୟମ ମାନି ଯେପରି ସଚେତନ ରହିବେ, ସେଥି ନିମନ୍ତେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା କେଂଟ୍ରାଲ ରୁମ୍ ମାନଙ୍କରେ ବରିଷ୍ଠ ଅଧିକାରୀମାନେ ଦାୟିତ୍ୱରେ ରହିବେ ।
