ଅପେକ୍ଷାର ଅନ୍ତ : ‘ପଞ୍ଜାବ ଲୋକ କଂଗ୍ରେସ’ ଗଠନ କଲେ କ୍ୟାପଟେନ ଅମରିନ୍ଦର ସିଂ
ଚଣ୍ଡିଗଡ଼ : ସବୁ ଅପେକ୍ଷାର ଅନ୍ତ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ ଏକ ନୂଆ ଦଳ ଗଢିବାକୁ ଘୋଷଣା କରିଛନ୍ତି । ଏହି ଦଳର ନାଁ ରଖାଯାଇଛି ‘ପଞ୍ଜାବ ଲୋକ କଂଗ୍ରେସ’ । ଦଳର ପଂଜୀକରଣ ନିର୍ବାଚନ ଆୟୋଗଙ୍କ ମଂଜୁରୀ ଅପେକ୍ଷାରେ ରହିଛି । ଏହା ପରେ ସେ ଦଳର ସଂକେତକୁ ଆୟୋଗର ମଂଜୁରୀ ମିଳିବ ।
କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେବା ପରେ ସେ ନିଜର ନୂଆ ଦଳର ନାଁ ଘୋଷଣା କରିଛନ୍ତି। କ୍ୟାପ୍ଟେନ ତାଙ୍କ ନୂଆ ଦଳର ନାଁ ପଞ୍ଜାବ ଲୋକ କଂଗ୍ରେସ ରଖିଛନ୍ତି। ତେବେ ତାଙ୍କ ଦଳର ପଞ୍ଜୀକରଣ ଆବେଦନ ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ପଡ଼ି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି କ୍ୟାପ୍ଟେନ ନିଜ ନୂଆ ଦଳର ନାଁ ଚଣ୍ଡିଗଡ଼ ଠାରେ ସାର୍ବଜନୀନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଆମେ ଆମର ନିଜସ୍ୱ ଦଳ ଗଠନ କରିବା ସମ୍ପର୍କରେ ଘୋଷଣା କରିଥିଲୁ। ଆମ ଓକିଲ ଟିମ୍ ଏହି ପ୍ରକ୍ରିୟାରେ ଲାଗିଛନ୍ତି ଓ ଦଳର ପଞ୍ଜୀକରଣ ଆବେଦନ ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ରହିଛି। ଆମ ଦଳର ନାଁ ପଞ୍ଜାବ ଲୋକ କଂଗ୍ରେସ ରହିବ। ନିର୍ବାଚନ କମିଶନ ଏହି ପ୍ରସ୍ତାବିତ ନାଁ ଉପରେ ମଧ୍ୟ ଆପତ୍ତି ଉଠାଇ ନାହାନ୍ତି। ଆମେ ୩ଟି ପ୍ରସ୍ତାବିତ ଦଳୀୟ ଚିହ୍ନ ନିର୍ବାଚନ କମିଶନଙ୍କ ପାଖକୁ ପଠାଇଥିଲୁ। ସେମାନେ ମଧ୍ୟ ଆମକୁ ୩ଟି ସମ୍ଭାବ୍ୟ ଚିହ୍ନ ଦେଇଛନ୍ତି। ଏହି ୬ଟି ପ୍ରସ୍ତାବିତ ଚିହ୍ନ ମଧ୍ୟରୁ ଗୋଟିଏ ଆମେ ଚୟନ କରିବୁ। ସବୁ କିଛି ପ୍ରକ୍ରିୟା ଶେଷ ହେବା ପରେ ପାର୍ଟିକୁ ଲଞ୍ଚ କରାଯିବ। ପାର୍ଟି ଲଞ୍ଚ ହେବା ବେଳେ ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ନୀତି ଗୁଡ଼ିକ ବିଷୟରେ ଘୋଷଣା କରାଯିବ ବୋଲି କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି। ଅନ୍ୟପକ୍ଷରେ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜର ଇସ୍ତଫାପତ୍ରରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରାହୁଲ ଓ ପ୍ରିୟଙ୍କା ସବୁ ଜାଣି ମଧ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଭଳି ଜଣେ ଅସ୍ଥିର ଓ ପାକିସ୍ତାନ ପ୍ରେମୀଙ୍କୁ ସମର୍ଥନ କରିଛନ୍ତି। ସୋନିଆ ଗାନ୍ଧି ସବୁ ଜାଣି ମଧ୍ୟ ପୂରା ଘଟଣାରେ ଆଖି ବନ୍ଦ କରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
