ବାଦ ବିବାଦର ଅନ୍ତ : ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ
ଚଣ୍ଡିଗଡ଼ : ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ବହୁ ବାଦ ବିବାଦ ପରେ ଶେଷରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି କ୍ୟାପଟେନ୍ ଅମରିନ୍ଦର । ପଞ୍ଜାବ କଂଗ୍ରେସରେ କ୍ୟାପଟେନ୍ ଅମରିନ୍ଦରଙ୍କୁ ନେଇ ଲାଗିରହିଥିବା ବିବାଦ ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି । ଦୀର୍ଘଦିନ ଧରି ଦଳର ନେତା ଏବଂ ହାଇ କମାଣ୍ଡଙ୍କ ସହିତ ଅମରିନ୍ଦର ସିଂହଙ୍କ ବିବାଦ ଲାଗିରହିଥିଲା । ଏବେ କିନ୍ତୁ ଏଥିରେ ଲାଗିଛି ବିରାମ ।
ତାଙ୍କ ସହିତ ସମେତ ପଞ୍ଜାବର ସମସ୍ତ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ସକାଳେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଇସ୍ତଫା ଦେବା କଥା କହିଥିଲି । ଗତ ୨/୩ ମାସ ମଧ୍ୟରେ ସ୍ଥିତି ଏମିତି ହୋଇଯାଇଥିଲା ଯେ ଅଣନିଶ୍ବାସୀ ହୋଇଯାଇଥିଲି । ୨ମାସରେ ୩ ଥର ଦଳୀୟ ବୈଠକ କରାଯାଉଥିଲେ ସୁଦ୍ଧା ମୋତେ ଗୁରୁତ୍ବ ଦିଆଯାଉନଥିଲା । ଦଳରେ ଅଣଦେଖା କରାଯାଉଥିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ସେମାନେ ଯାହାକୁ ଚାହିଁବେ ମୁଖ୍ୟମନ୍ତ୍ରୀ କରିପାରିବେ । ୫୨ ବର୍ଷର ରାଜନୀତିରେ ଏଭଳି ପରିସ୍ଥିତି କେବେ ଆସିନଥିଲା । ମୋର ସାଥୀ ଶୁଭେଚ୍ଛୁ ଏବଂ ନେତାଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି । ସେହିପରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି କିନ୍ତୁ କଂଗ୍ରେସରେ ରହିଛି । ଆଗାମୀ ଦିନରେ ମୋର ନେତାଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନେବି । ସୂଚନା ଯେ, କଂଗ୍ରେସ ବିଧାୟକ ଦଳର ବୈଠକର କିଛି ସମୟ ପୂର୍ବରୁ ସେ ରାଜ୍ୟପାଳ ବରଓ୍ବାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । କ୍ୟାପଟେନ ଅମରିନ୍ଦରଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ବିବାଦ ଆହୁରି ତୀବ୍ର ହେବାର ଆଶଙ୍କା ଦେଖାଦେଇଛି । ଆଜି ଅପରାହ୍ଣ ୫ଟା ବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିବାବେଳେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇନଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଇସ୍ତଫା ପାଇଁ ନିଷ୍ପତ୍ତି ନେଇଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଶିବିର ପକ୍ଷରୁ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଦାବି କରିପାରନ୍ତି । ସିଦ୍ଧୁଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବାରୁ ତାଙ୍କ ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା ରହିଛି । ତେବେ ଅମରିନ୍ଦରଙ୍କ ପଛରେ କିଛି ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି ।
