କୁଡୁମୁଲୁଗୁମ୍ମା ବିଏସଏଫ ତରଫରୁ ଜନ ସମ୍ପର୍କ ଅଭିଯାନ
ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ ଚିଲିପଦର ଗ୍ରାମରେ ଜନ ସମ୍ପର୍କ ଅଭିଯାନ ଅନ୍ତର୍ଗତ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜିର ସ୍ୱତନ୍ତ୍ର ଜନ ସମ୍ପର୍କ ଅଭିଯାନରେ ୧୫୧ ବିଏସଏଫ ବାଟାଲିୟନର କମାଣ୍ଡାଂଟ ରବିନ୍ଦ୍ର ଠକ୍କର, କମ୍ପାନୀ କମାଣ୍ଡର ନୀରଜ ଶର୍ମା, ଇନ୍ସପେକ୍ଟର ଜଶୋବନ୍ତ ସାମଲ, କୁଡୁମୁଲୁଗୁମ୍ମା ସରପଂଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ସ୍ଥାନୀୟ ଶିକ୍ଷକ କାଳନ୍ଦୀ ଚରଣ ରାଉତ, ସମାଜସେବୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଚିଲିପଦର ଓ ଏହାର ଆଖପାଖ ଅଂଚଳର ପାଖାପାଖି ୧୫୦ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୭୧୦୦୦/- ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାରର ଚାଷୀ ଉପକରଣ ଯଥା- କୋଡ଼ି, ଦାଆ, ଖୁରପା ପ୍ରଭୃତି ୧୦୧ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା ବେଳେ କ୍ରିଡାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କ୍ରିଡ଼ା ସାମଗ୍ରୀ ଯଥା- ଭଲିବଲ, ଫୁଟବଲ, ରିଙ୍ଗବଲ, କ୍ରିକେଟ ଉପକରଣ ଓ କ୍ରିଡାପଯୋଗୀ ଟି-ସାର୍ଟ ପ୍ରଭୃତି ପ୍ରଦାନ କରାଯାଇଛି । ଏହି ଗ୍ରାମରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଖେଳିବା ପାଇଁ ମଧ୍ୟ କ୍ରିଡ଼ା ଉପକରଣ ମାନ ଦିଆଯାଇଥିଲା ।ଏହି ଅବସରରେ ବିଏସଏଫ କମାଣ୍ଡାଂଟ ଶ୍ରୀ ଠକ୍କର କହିଛନ୍ତି ଯେ, ସେ ଏହି ଅଂଚଳର ସୁରକ୍ଷା ସହିତ ଗ୍ରାମାଚଂଳରେ ବସବାସ କରୁଥିବା ଆଦିବାସୀ ସମୂହଙ୍କ ଅଭିବୃଦ୍ଧି ପାଇଁ ବିଭିନ୍ନ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମ ମାନ ଗ୍ରହଣ କରିଛନ୍ତି, ଯାହା ଫଳରେ ବିଏସଏଫ ବର୍ତମାନ ଲୋକଙ୍କ ସେବା କାର୍ଯ୍ୟରେ ଯୋଡ଼ି ହେବାରଏକ ନୂତନ ସମ୍ଭାବନା ସୃଷ୍ଟି କରିପାରିଛି ।
