ଭୂମି-ବାସହୀନ ଲୋକଙ୍କୁ ଜମିପଟ୍ଟା ଯୋଗାଇବା ଦାବିରେ ଗଣବିକ୍ଷୋଭ
କଟକ : ବସ୍ତିବାସିନ୍ଦାଙ୍କ ଏକତା ମଂଚ ପକ୍ଷରୁ କଟକ ମହାନଗର ନିଗମ ଅଫିସ ସମ୍ମୁଖରେ ଏକ ଗଣସମାବେଶ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଚୌଧୁରୀ ବଜାରସ୍ଥ ମାରୁତି ମଣ୍ଡପଠାରୁ ବିରାଟ ଶୋଭାଯାତ୍ରା ବାହାରି ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ସାହିବସ୍ତିରୁ ହଜାର ହଜାର ସଂଖ୍ୟାରେ ବସ୍ତିବାସିନ୍ଦା ଯୋଗ ଦେଇଥିଲେ । ଏହି ବିକ୍ଷୋଭ ସଭାରେ ବସ୍ତିବାସିନ୍ଦା ଏକତାମଂଚର ସଭାପତି ସେଖ୍ ଅବଦୁଲ୍ଲା ସଭାପତିତ୍ୱ କରି କହିଥିଲେ ଗତ ନଭେମ୍ବର ୧୦ ତାରିଖ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଓ କଟକର ମେୟର ଜଗତପୁରଠାରେ ଅନୁଷ୍ଠିତ ସଭାରେ “ବସ୍ତିବାସିନ୍ଦାଙ୍କୁ ସରକାରଙ୍କ ଦ୍ୱାରା ଚିହ୍ନିତ “ଜାଗାମିଶନ’ ଅଂଚଳର ଗରିବ ବସ୍ତିବାସିନ୍ଦା ଯଥାଶୀଘ୍ର ପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ଘୋଷଣାର ଏକ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜଣେ ହେଲେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ମିଳିନାହିଁ । ଏଠାରେ ପ୍ରକାଶ ଥାଉକି କଟକ ସହର ତଥା ସମଗ୍ର ରାଜ୍ୟରେ ବସ୍ତିଭାବେ ପରିଚିତ ପଟ୍ଟାପୋଲ ସମେତ କଟକର ମ୍ୟୁନିସିପାଲିଟି ଦ୍ୱାରା ପଞ୍ଜିକୃତ ସହର ମଧ୍ୟଭାଗରେ ଥିବା ୨୭୦ ବସ୍ତିକୁ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତିକୁ ୨୦୧୯ରୁ ସର୍ଭେ ସରିଯାଇ ମହାନଗର ନିଗମ ତରଫରୁ ବସ୍ତିବାସିନ୍ଦାଙ୍କ ମହାସଂଘ “ବସ୍ତିଏକତାମଂଚକୁ’ ଚିଠି ଦ୍ୱରା ୧୫୧୫୯ଟି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ଗତ ତା ୨୯.୧୦.୨୦ରିଖ ଜଣାଇଥିଲେ । ତା’ର ଆଜି ପର୍ଯ୍ୟନ୍ତ କିଛି ଫଳ ମିଳିଲା ନାହିଁ । କେନ୍ଦ୍ର ସରକାର “ଘର’ ପାଇଁ ପଠାଇଥିବା ଟଙ୍କା ଫେରାଇ ନେବେ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଦେଇ ସାରିଲେଣି । ରାଜ୍ୟ ସରକାରଙ୍କ “ଜମି’ ଯୋଗାଇବା ଦାୟିତ୍ୱ । ଏଣୁ ଥଇଥାନ ବିନା ଘର ଉଚ୍ଛେଦ ବନ୍ଦ କରାଯାଉ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ ୨୦୨୨ସୁଦ୍ଧା ବସ୍ତିମୁକ୍ତ ସହର କେବଳ ପ୍ରଚାରରେ ସିମିତ ନ ରହି କାର୍ଯ୍ୟରେ ପରିଣତ କରାଯାଉ । ଏହି ବିକ୍ଷୋଭରେ ସଂପାଦକ ଆଡ଼ଭୋକେଟ୍ ହେମେନ୍ଦ୍ର ସାମଲ, ମଧ୍ୟରେ ବସ୍ତିନେତା ଧନି ସାହୁ, ମୁନୁ ଖାଁ, ଶଶୀ ଡ଼ାକୁଆ, ପ୍ରମୋଦ ସ୍ୱାଇଁ, ଅଜିତ ଲେଙ୍କା, ବାସନ୍ତି ବିଶ୍ୱାଳ, ଦୀନବନ୍ଧୁ ସାହୁ, ଦାମୋଦର ଆଚାର୍ଯ୍ୟ, ସନାତନ ବାରିକ୍, ସରସ୍ୱତୀ ନାୟକ, ସୁଷମା ଦାସ, ପ୍ରିୟରଞ୍ଜନ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
