କୁକୁଡ଼ା ଚାଷୀଙ୍କ ସାଧାରଣ ସଭା, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ
କଟକ: କଟକ ଜିଲା ଜରିପଡ଼ା ଠାରେ ସଦର ବ୍ଲକ କୁକୁଡ଼ା ଚାଷୀଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କୁକୁଟ୍ଟ ମହାସଂଘର ଉପସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଏହା ଅନୁଷ୍ଟିତ ହୋଇଥିଲା । ଏଥିରେ ରାଜ୍ୟ କୁକୁଟ୍ଟ ମହାସଂଘର ସଭ୍ୟ ରାମଚନ୍ଦ୍ର ରାଉତ, କଟକ ସଦର ବ୍ଲକ ସଭାପତି ଭୋବନାନନ୍ଦ ଦାସ, ଉପସଭାପତି ଅଶୋକ କୁମାର ପତି, ସମ୍ପାଦକ ଅମର ନାୟକ, କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ଜେନା ଓ ଜଗତସିଂହପୁର ଜିଲା ସଭାପତି ରତିକାନ୍ତ ପାଲ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଭାରେ କୁକୁଡ଼ା ଚାଷୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଚଶୁ ଓ ଔଷଧ ସମସ୍ତ ଖର୍ଚ୍ଚ କମ୍ପାନୀ ଭରଣ କରିବେ, ଦାନା ଓ କୁକୁଡ଼ା ଛୁଆ ଉନ୍ନତମାନର ହେବା ଆବଶ୍ୟକ, ଏମଏସପି ମୂଲ୍ୟ ୮ ଟଙ୍କାକୁ ବୃଦ୍ଧି, ଆଡମିନି ଚାର୍ଜ ଉଠାଯାଉ, ପୁରୁଣା ଗ୍ରୋଇଙ୍ଗ ଚାର୍ଜ ପରିବର୍ତ୍ତନ କରାଯାଇ ସର୍ବନିମ୍ନ କିଲୋଗ୍ରାମ ପ୍ରତି ୧୪ ଟଙ୍କାକୁ ବୃଦ୍ଧି କରାଯାଉ, କୁକୁଡ଼ା ବିକ୍ରୟର ଶତକଡା ୫୦ ଭାଗ ବୋନସ ଆକାରରେ ଫାର୍ମରଙ୍କୁ ପ୍ରଦାନ କରାଯାଉ, ସଂଘର ବିନା ନିର୍ଦ୍ଦେଶରେ କୁକୁଡ଼ା ଛୁଆ ଓ ଦାନାର ମୂଲ୍ୟ ବୃଦ୍ଧି କରା ନ ଯାଉ, କମ୍ପାନୀମାନେ ଅଭିଜ୍ଞ ଡ଼ାକ୍ତରମାନଙ୍କୁ ନିଯୁକ୍ତି କରି ୨୪*୭ ଘଣ୍ଟା ସେବା ଚାଷୀଙ୍କୁ ଯୋଗାଇ ଦିଅନ୍ତୁ । ଏହି ସବୁ ଦାବିନେଇ ଚାଷୀମାନେ ସରକାରଙ୍କୁ ଅବଗତ କରାଇଛନ୍ତି। ଯଦି ସରକାର କୁକୁଡ଼ା ଚାଷୀଙ୍କ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ କୁକୁଡ଼ା ଚାଷୀ ଚେତାବନୀ ଦେଇଛନ୍ତି ।
