ଔପଦା ଡାକ୍ତରଖାନାରେ ଜନଆରୋଗ୍ୟ ସମିତି ବୈଠକ
ଔପଦା : ବାଲେଶ୍ୱର ଜିଲା ଔପଦା ଡାକ୍ତରଖାନା ପରିସରରେ ଜନଆରୋଗ୍ୟ (ଜାସ)ସମିତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ମୁନି ସିଂଙ୍କ ଅଧ୍ୟକ୍ଷତାରେ ସମିତିର ସଭ୍ୟାସଭ୍ୟମାନେ ଡାକ୍ତରଖାନାରେ ଥିବା ଜମି ଚିହ୍ନଟ ହୋଇନପାରିବା, ବର୍ଷା ପାଣି ନିଷ୍କାସନ ପାଇଁ ତତ୍କାଳୀନ ଜିଲାପାଳଙ୍କ ଅନୁମୋଦନ କ୍ରମେ ନବନିର୍ମିତ ଡ୍ରେନ୍ର ବ୍ୟବସ୍ଥାକୁ ନବୀକରଣ କରିବା, ପରିତ୍ୟକ୍ତ ଅବସ୍ଥାରେ ରହିଥିବା ତଳକିଆ ଏଏନ୍ଏମ୍ କେନ୍ଦ୍ରକୁ ଭଙ୍ଗା ଯାଇଥିବାରୁ କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ପରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ଏପରିକି ସମିତିର ସଭ୍ୟ ଅବସରପ୍ରାପ୍ତ ସସ୍ୱାସ୍ଥ୍ୟ ଅଧିକାରୀ ମହେନ୍ଦ୍ର ପ୍ରସାଦ ନାୟକ, ମୁଖ୍ୟତଃ ୧୯୪୨ ମସିହା ସ୍ୱାଧୀନତା ପୂର୍ବରୁ ଔପଦା ବାସୀଙ୍କ ପାଇଁ ଥିବା ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ମଡ଼େଲ ହସ୍ପିଟାଲର ମାନ୍ୟତା ପାଇଁ ଦାବି କରିଥିବା ବେଳେ ରୋଗୀ ଦେଖାଯାଉଥିବା ପୁରୁଣା ଗୃହକୁ ଭାଙ୍ଗି ନୂତନ ଗୃହ ନିର୍ମାଣ ପାଇଁ ଆଲୋଚନା କରିଥିଲେ । ବୈଠକରେ ଈଶ୍ୱରପୁର ଡାକ୍ତରଖାନାର ଇନଚାର୍ଜ କୈଳାସ ଚନ୍ଦ୍ର ବେହେରା, ଡା. ଚନ୍ଦନ ମହାକୁଡ଼, ତଳକିଆ ସରପଞ୍ଚ ଦୀପ୍ତିରାଣୀ ନାୟକ, ଗଡ଼ସାହି ସରପଞ୍ଚ ନିତ୍ୟାନନ୍ଦ ମୁଦୁଲି, ଅଘିରାପଦା ସରପଞ୍ଚ ଅନୁପମା ବିଶ୍ୱାଳ, ବଡପୋଖରୀ ସରପଞ୍ଚ ସୁଭଦ୍ରା ନାୟକ, ବିପିଏମ ଦୟାନିଧି ନାୟକ, ଔପଦା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଦାସ, କମ୍ପାଉଣ୍ଡର ଅମ୍ବିକା ବଲ୍ଲଭ ପାଢ଼ୀ, ସଭ୍ୟ ମଧୁସୂଦନ ମଲ୍ଲିକ, ସ୍ୱାସ୍ଥ୍ୟ ସୁପରଭାଇଜର ମନୋଜ କୁମାର ମହାପାତ୍ରଙ୍କ ସମେତ ସଭ୍ୟାସଭ୍ୟ ଓ ଆଶାକର୍ମୀ ଉପସ୍ଥିତ ଥିଲେ ।
