ବାରୁଣୀ ସ୍ନାନ ପାଇଁ ଚଳଚଞ୍ଚଳ କଷାଫଳ ବାରୁଣୀ ଘାଟ
ଲଙ୍ଗଳେଶ୍ୱର : ବାରୁଣୀ ସ୍ନାନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶା ପ୍ରସିଦ୍ଧ ବାଲେଶ୍ୱର ଜିଲାର ପୂଣ୍ୟାତ୍ମା ସାରଙ୍ଗ ଦେବ ବେଳାଭୂମି କଷାଫଳ ବାରୁଣୀ ଘାଟ । ରବିବାର ଚୈତ୍ର ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ମହା ବାରୁଣୀ ସ୍ନାନ । ଭାରତ ବର୍ଷରେ ସନାତନ ହିନ୍ଦୁ ଶାସ୍ତ୍ର ମତରେ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଚୈତ୍ର ମାସରେ ସ୍ନାନଯୋଗ ଅନ୍ୟତମ । ଏହିଦିନ କଷାଫଳ ବାରୁଣୀ ଘାଟରେ ବୁଡ଼ ପକାଇବା ପରେ ସମୂଦ୍ର ବାଲିକୁ ମୁଣ୍ଡରେ ମାରି ପ୍ରଭୂ ଚୈତନ୍ୟ ଦେବଙ୍କ ପଟ୍ଟଶିଷ୍ୟ ସାରଙ୍ଗଦେବଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ ମାନଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୭୦୦ ବର୍ଷ ପୂର୍ବରୁ ପ୍ରଭୂ ଚୈତନ୍ୟ ଦେବ ନଗରଦୀପରୁ ସମୂଦ୍ର କୂଳ ଦେଇ ପୁରୀ ଯିବା ବାଟରେ ଏହି କଷାଫଳ ବେଳାଭୂମିରେ ଶ୍ରମଭାର ଲାଘବ ଓ ତୃଷା ନିବାରଣ ପାଇଁ ଏକ ବୃକ୍ଷ ମୂଳରେ ବିଶ୍ରାମ ନେଇଥିଲେ । ଚୈତନ୍ୟ ଦେବଙ୍କ ତୃଷା ମେଣ୍ଟାଇବା ପାଇଁ ମଧୂର ପାଣି ନମିଳିବାରୁ ଶିଷ୍ୟ ସାରଙ୍ଗଦେବ ଏକ ଗଛର ଫଳରୁ ରସ ବାହାର କରି ଚୈତନ୍ୟ ଦେବଙ୍କୁ ପିଇବାକୁ ଦେଇଥିଲେ । ସେହି ଫଳରସର ସ୍ୱାଦ କଷା ହୋଇଥିବାରୁ ଚୈତନ୍ୟ ଦେବ ଗଛଟିର ନାମ କଷାଫଳ ରଖିବା ସହିତ ସେହିଦିନ ଠାରୁ ଏହି ଅଞ୍ଚଳ କଷାଫଳ ପଞ୍ଚାୟତ ନାମରେ ନାମିତ ହୋଇଛି । ଏଠାରେ ଥିବା ବାବା ସାରଙ୍ଗଦେବଙ୍କ ମନ୍ଦିର ପାର୍ଶ୍ୱରେ ପ୍ରଭୂ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ରହିଛି । ବାରୁଣୀ ଘାଟରେ ବୁଡ ପକାଇବାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସାରଙ୍ଗଦେବଙ୍କ ଦର୍ଶନ କରିବା ସହିତ ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିଥାନ୍ତି । ସେଥିପାଇଁ ପ୍ରତିବର୍ଷ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାରେ ବୁଡ଼ ପକାଇବାକୁ ଛୁଟି ଆସିଥାନ୍ତି, ତେବେ ଗତ ଦୁଇବର୍ଷ ଧରି କରୋନା କଟକଣା ପାଇଁ ପ୍ରଶାସନ ପକ୍ଷରୁ ବାରୁଣୀ ସ୍ନାନ ବନ୍ଦ କରା ଯାଇଥିଲା । ମାତ୍ର ଚଳିତବର୍ଷ କଟକଣା ନଥିବା ଯୋଗୁଁ ବାରୁଣୀ ସ୍ନାନ ପାଇଁ ଅନୁମତି ମିଳିଥିବାରୁ ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅସ୍ଥାୟୀ ବିଶ୍ରାମାଗାର, ପାନୀୟ ଜଳ, ଶୌଚାଳୟ ଇତ୍ୟାଦି ବ୍ୟବସ୍ଥା କରାଯିବା ସହ କିଭଳି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିବ ସେନେଇ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ଆଦେକଙ୍କ ଅଧ୍ୟକ୍ଷତାରେ କଷାଫଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ମୁକୁନ୍ଦ ଆଦେକ, ନାୟବ ସରପଞ୍ଚ ପ୍ରିୟ ରଞ୍ଜନ ପୃଷ୍ଟି, ସମ୍ଭୁନାଥ ଶାବଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
