ବାଲେଶ୍ୱରରେ ଉଦଘାଟିତ ହେଲା ପିଏସଏ ଅକ୍ସିଜେନ୍ ପ୍ଲାଂଟ୍
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ପିଏସଏ (ପ୍ରେସର ସ୍ୱିଙ୍ଗ ଏଡଜର୍ପସନ) ଅକ୍ସିଜେନ୍ ପ୍ଲାଂଟ୍ ବୁଧବାର ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି ନବନିର୍ମିତ ଅକ୍ସିଜେନ୍ ପ୍ଲାଂଟ୍ର ଶୁଭ ଉଦଘାଟନ କରିଥିଲେ । ପିଏମ କେୟାର୍ସ ଫଣ୍ଡରୁ ମିଳିଥିବା ଅନୁଦାନରେ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ନିର୍ମିତ ଏହି ୧ହଜାର ଏଲପିଏମ କ୍ଷମତା ବିଶିଷ୍ଟ ଅକ୍ସିଜେନ୍ ପ୍ଲାଂଟ ବାଲେଶ୍ୱର ଜିଲା ସମେତ ପଡୋଶୀ ଜିଲା ଏବଂ ରାଜ୍ୟର ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ କରିପାରିବା କୋଭିଡ୍ ମହାମାରୀ ସମୟରେ ଅକ୍ସିଜେନ୍ ଅଭାବ ଯୋଗୁଁ ପ୍ରାଣହାନୀ ହୋଇଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ସ୍ଥାପିତ ହେଉଥିବା ଅକ୍ସିଜେନ୍ ପ୍ଲାଂଟ୍ ଏହି ଅଭାବକୁ ପୂରଣ କରିବାରେ ସହାୟକ ହେବ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ ଆଶାବ୍ୟକ୍ତ କରିଥିଲେ ।
ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ସବୁ ଜିଲାରେ ଅକ୍ସିଜେନ୍ ପ୍ଲାଂଟ ସ୍ଥାପନ ପାଇଁ ସରକାର ପଦକ୍ଷେପ ନେଇଥିବା କହିଥିଲେ । କୋଭିଡ୍ ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଓଡିଶା ଉଦାହରଣ ସୃଷ୍ଟି କରିପାରିଥିବା ସେ ପ୍ରକାଶ କରିଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲାର ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଭିତିଭୂମିରେ ଯଥେଷ୍ଟ ଉନ୍ନତି ଆସିପାରିଥିବା ମତବ୍ୟକ୍ତ କରିଥିଲେ । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏହି ଅକ୍ସିଜେନ୍ ପ୍ଲାଂଟ୍ ଜିଲାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବ ବୋଲି କହିବା ସହିତ ଏହାର ନିୟମିତ ରକ୍ଷାଣବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପ୍ଲାଂଟ୍ର କୋଠା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣଙ୍କ ଦ୍ୱାରା ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଯନ୍ତ୍ରାଂଶ ଓ ଆନୁଷଙ୍ଗିକ ଉପକରଣ ପାଇଁ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥାନ(ଡିଆରଡିଓ) ପକ୍ଷରୁ ୭୫ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ଉଭୟ ଏନ.ଏଚ.ଏ.ଆଇ. ଏବଂ ଡି.ଆର.ଡି.ଓ.ଙ୍କୁ ଏଥିପାଇଁ ଅତିଥିମାନେ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲର ଡିନ୍ ଏବଂ ଅଧ୍ୟକ୍ଷ ପ୍ରଫେସର ଡା. ରାମଚନ୍ଦ୍ର ଗିରି, ଅଧୀକ୍ଷକ ପ୍ରଫେସର ଡା. ସୁଜାତା ମିଶ୍ର, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ୍ ଜଗଦ୍ଦେବଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି, ବିଭାଗୀୟ ମୁଖ୍ୟ, ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଡିପିଏମ ଅନୀଲ ମହାନ୍ତିଙ୍କ ତତ୍ୱାବଧାନରେ ଏହା ଆୟୋଜିତ ହୋଇଥିଲା ।
