ବାଲେଶ୍ୱରରେ ଖବରକାଗଜ ବିତରକଙ୍କୁ ପରିଚୟପତ୍ର ପ୍ରଦାନ
ବାଲେଶ୍ୱର : ଖବରକାଗଜ ବିତରକମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା, ପରିଚୟପତ୍ର ସମେତ ଅନ୍ୟାନ୍ୟ ସୁବିଧା ପ୍ରଦାନ ଲାଗି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାକୁ ଗତ ୨୦୨୧ ଡିସେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଉଦ୍ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ୪୭୧ଜଣ ଖବରକାଗଜ ବିତରକଙ୍କ ପରିଚୟପତ୍ର ପ୍ରସ୍ତୁତ କରାଯାଇଥିବା ବେଳେ ଶୁକ୍ରବାର ସେମାନଙ୍କୁ ପରିଚୟପତ୍ର ବଂଟନ ଆରମ୍ଭ ହୋଇଛି ।
ସଦଭାବନା ସଭାଗୃହରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଶୁକ୍ରବାର ସନ୍ଧ୍ୟାରେ ଏହାର ଶୁଭାରମ୍ଭ କରିବା ସହିତ ଉପସ୍ଥିତ ଖବରକାଗଜ ବିତରକମାନଙ୍କୁ ପରିଚୟପତ୍ର ବଣ୍ଟନ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୦ରୁ ଉର୍ଦ୍ଧ୍ୱ ଖବରକାଗଜ ବିତରକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଡ଼ ପାଇବା ପରେ ବିତରକମାନେ ଖୁସି ବ୍ୟକ୍ତ କରିବା ସହିତ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ପଞ୍ଜୀକୃତ ହୋଇଥିବା ଅନ୍ୟ ବିତରକମାନେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରୁ ପରିଚୟପତ୍ର ସଂଗ୍ରହ ପାଇଁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାହୁ ନିବେଦନ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।
