ପାଚିକା, ସହାୟିକାଙ୍କୁ ସର୍ବନିମ୍ନ ମଜୁରି ଓ ଶ୍ରମିକର ମାନ୍ୟତା ଦାବିରେ ବିକ୍ଷୋଭ
କଟକ : ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା(ସିଆଟିୟୁ) କଟକ ଜିଲ୍ଲା ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିକ୍ଷାନୁଷ୍ଠାନ ମିଶ୍ରଣ ପାଇଁ କରାଯାଉଥିବା ଛଟେଇ ବନ୍ଦ କରାଯିବା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଆବଶ୍ୟକ ପାଚିକା ସହାୟିକା ନିଯୁକ୍ତି, ମାସିକ ୨୬ ହଜାର ଟଙ୍କା ଦରମା, ଅବସର ବୟସ ୬୨କୁ ବୃଦ୍ଧି, ମେତନ ସହିତ ମାତୃତ୍ୱ କାଳୀନ ଛୁଟି ପ୍ରଦାନ, ବର୍ଷକୁ ଦୁଇ ଖଣ୍ଡ ଶାଢି ପ୍ରଦାନ, ରୋଷେଇ ଛଡା ସ୍କୁଲର ଅନ୍ୟ କାମରୁ ନିବୃତ୍ତ କରାଯିବା, ପାଚିକା/ସହାୟିକାମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଦିଆଯିବା ଆଦି ୧୪ ଦଫା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପାଚିକା ସଂଘର ମଂଜୁଲତା ସାହୁ, ଆରତୀ ଓଝା, ଦମୟନ୍ତୀ ପୃଷ୍ଟି, ରଜନୀ ପଣ୍ଡା, ଲକ୍ଷ୍ମୀ ସାହୁ, ସଲମା ବେଗମ, କରୁଣାକର ପଣ୍ଡା, ପ୍ରତିମା ସାହୁ, ଗୀତାଂଜଳି ପ୍ରଧାନ, ପୁଷ୍ପଲତା ରାଉତ, ରମା ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଏସପି ଅଫିସଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ଏକ ପ୍ରତିବାଦ ସଭା ରାଜ୍ୟ କର୍ମଜୀବୀ ମହିଳା ସଂଗଠନର ଆବାହିକା ପୁଷ୍ପା ଦାଶ, ସିଆଇଟିୟୁ ଜିଲ୍ଲା ସଭାପତି ରବିନାରାୟଣ ମଲ୍ଲିକ, ପାଚିକା ସଂଘ ସଭାପତି ବଦ୍ରୀନାରାୟଣ ଦାଶ, ଉପସଭାପତି ରଶ୍ମିରଂଜନ ତ୍ରିପାଠୀ, ସିଆଇଟିୟୁ ସଂପାଦକ ଅଭୟ ସ୍ୱାଇଁ ଓ ମାନସ ମହାନ୍ତି ପ୍ରମୁଖ ଉଦବୋଧନ ଦେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୪ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
