ପ୍ରାଥମିକସ୍ତରରେ ୩ଟି ଦାବି ପୂରଣ, ସ୍ଥଗିତ ହେଲା ଘରୋଇ ବସ ଧର୍ମଘଟ
ଭୁବନେଶ୍ୱର : ସ୍ଥଗିତ ହେଲା ଘରୋଇ ବସ ଧର୍ମଘଟ । ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ସୋମବାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ସ୍ତରରେ ୩ଟି ଦାବି ପୂରଣ ହୋଇଛି। ତେବେ ଜାନୁଆରୀ ୩୧ ସୁଦ୍ଧା ଅନ୍ୟ ଦାବି ପୂରଣ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଯଦି ପ୍ରତିଶ୍ରୁତି ପୂରଣ ନହୁଏ ତେବେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ସୂଚନା ଯେ, ଭିନ୍ନ ଭିନ୍ନ ୧୦ ଦଫା ଦାବି ନେଇ ଜାନୁଆରୀ ୧୭ରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦିଆଯାଇଥିଲା । ଏହାପରେ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପରେ ୩ଟି ଦାବି ପ୍ରାଥମିକ ପର୍ଯ୍ୟାୟରେ ପୂରଣ ହୋଇଛି। ବାକି ଦାବିଗୁଡିକ ପାଇଁ ସରକାର ସମୟ ମାଗିଥିବା କହିଛି ମାଲିକ ସଂଘ। ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୁରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ। ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଛି। ଆସନ୍ତାକାଲିଠାରୁ ବସ ପୁଣି ସ୍ୱାଭାବିକ ଭାବେ ଚାଲିବ।
