ଘରୋଇ ବସକୁ ଜାଳିଦେଲେ ମାଓବାଦୀ, କୁମ୍ବିଂ ଅପରେସନ ଜୋରଦାର
ମାଲଗାନଗିରି : ପୁଣି ମାଓବାଦୀଙ୍କ ବର୍ବରତା । ଦୀର୍ଘ ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କଲେ ମାଓବାଦୀ । ନବରଙ୍ଗପୁର ଜିଲା ଉମରକୋଟ ଠାରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଏକ ଘରୋଇ ବସକୁ ମାଓବାଦୀମାନେ ଜାଳିଦେଇଛନ୍ତି । ଗତ ରବିବାର ବିଳମ୍ବିତ ରାତିରେ ମାଲକାନଗିରି ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ କାତୁରୁ ପ୍ରାୟ ୨୦ ଜଣ ସଶସ୍ତ୍ର ମାଓବାଦୀ ବସକୁ ଅଟକାଇବା ସହ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ପରେ ବସରୁ ଡିଜେଲ କାଢି ବସରେ ନିଆଁ ଲଗାଇ ଦେଇଥିଲେ ।
ମୁଖ୍ୟ ରାଜପଥରେ ଏଭଳି କାଣ୍ଡ କରି ପୋଲିସକୁ କଡା ଚେଲେଞ୍ଜ ଦେଇଛି ଲାଲ ବାହିନୀ । ଏହି ଘଟଣା ପରେ ସକାଳୁ ପୋଲିସ ଓ ସିଅରପିଏଫ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ମାଓବାଦୀ ଦମନ ନୀତିକୁ ବିରୋଧ କରି ଆଜି ମାଓବାଦୀ ମାନେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଛନ୍ତି ।
