ଗୁଜୁରାଟରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ଶୋ’
ଅହମ୍ମଦାବାଦ : ଉତର ପ୍ରଦେଶ ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ ପରେ ବିଜେପି ମିଶନ ଗୁଜରାଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଗୁରୁବାର ୫ ରାଜ୍ୟର ଫଳାଫଳ ଆସିବାର ପରବର୍ତୀ ଦିନ ହିଁ ପ୍ରଧାନମନ୍ତ୍ରୀ ମୋଦୀ ଗୃହ ରାଜ୍ୟ ଗୁଜରାଟ ଗସ୍ତ କରିଛନ୍ତି । ଏଠାରେ ବିମାନ ବନ୍ଦରରୁ ଗାନ୍ଧିନଗର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ମଙ୍ଗଳମ ପର୍ଯ୍ୟନ୍ତ ୯ କିଲୋମିଟରର ଲମ୍ବା ରୋଡ୍ ଶୋ ମଧ୍ୟ କରିଛନ୍ତି । ଗୁଜରାଟରେ ଗତ ବର୍ଷ ପୂରା କ୍ୟାବିନେଟ୍ ପରିବର୍ତନ କରାଯାଇ ଥିଲା । ଭୂପେନ୍ଦ୍ର ସିଂହ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ଏହା ବ୍ୟତୀତ ନୀତିନ ପଟେଲଙ୍କ ସମେତ ଅନେକ ପୁରୁଣ ନେତାଙ୍କୁ କ୍ୟାବିନେଟରୁ ବାହାର କରାଯାଇ ଥିଲା ।
ତେଣୁ ଗୁଜରାଟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ପ୍ରମୁଖ ଚେହେରା ହୋଇ ପାରନ୍ତି । ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ୯ ମାସ ବାକି ରହିଛି । ବିଜେପି ଏବେଠୁ ଗମ୍ଭୀରତାର ସହ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ଟୁଇଟ୍ କରି ଗୁଜରାଟ ଗସ୍ତ ବିଷୟରେ ସୂଚନା ଦେଇଥିଲେ । ସେ ଟୁଇଟ୍ କରି ଜଣାଇଥିଲେ ଯେ, ମୁଁ ଗୁଜରାଟ ଗସ୍ତରେ ଯାଉଛି । ଆଜି ଏବଂ ଆସନ୍ତାକାଲି ଅନେକ ଆୟୋଜନରେ ଯୋଗ ଦେବି । ସନ୍ଧ୍ୟାରେ ପଂଚାୟତ ମହା ସମ୍ମିଳନୀକୁ ସମ୍ବୋଧିତ କରିବି । ଏହି ସମୟରେ ପଂଚାୟତିରାଜ ସଂସ୍ଥାର ଅନେକ ପ୍ରତିନିଧି ଯୋଗ ଦେବେ । ଶୁକ୍ରବାରର ରୋଡ୍ ଶୋରେ ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ଘଟିଥିବା ବିଜେପି କହିଛି । ଏପରିକି ପଂଚାୟତିରାଜ ସମ୍ମିଳନୀରେ ମଧ୍ୟ ଏକ ଲକ୍ଷ ଲୋକ ସାମିଲ୍ ହେବାର ଅନୁମାନ କରାଯାଉଛି । ଏହା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପି ସମେତ ୪ ରାଜ୍ୟରେ ପ୍ରଚଣ୍ଡ ବିଜୟ ହାସଲ ପରେ କହିଥିଲେ ଯେ, ଏହା ଆମର ଭାଗ୍ୟ ଏବଂ କାମ ଉପରେ ଜନତାଙ୍କ ଭରସାର ପରିଣାମ ।
ଅନ୍ୟପକ୍ଷରେ ଉତର ପ୍ରଦେଶରେ ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସନ୍ଧ୍ୟାରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନ ପହଂଚି ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଏଥିରୁ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ନୂତନ ସରକାର ଶୀଘ୍ର ଗଠନ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକ ଡକାଇଥିଲେ । ଏଥିରେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, କ୍ୟାବିନେଟ୍ ମନ୍ତ୍ରୀ ବୃଜେଶ ପାଠକ, ମନ୍ତ୍ରୀ ଲାଲଜୀ ଟଣ୍ଡନ ଏବଂ ମନ୍ତ୍ରୀ ଅନିଲ୍ ରାଜଭର ଉପସ୍ଥିତ ଥିଲେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା କୁହାଯାଉଛି । ଏହା ପରେ ଯୋଗୀ ରାଜଭବନ ପହଂଚି ମହାତ୍ମା ଗାନ୍ଧୀଙ୍କ ମୂର୍ତିରେ ପୁଷ୍ପ ଅର୍ପଣ କରିବା ପରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଏହା ସହିତ ପରବର୍ତୀ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବିଜେପି କ୍ରମାଗତ ଦ୍ୱିତୀୟ ଥର ସରକାର ଗଢିବାକୁ ଯାଉଛି । ଏଥର ନିର୍ବାଚନରେ ବିଜେପି ୨୫୫ ସିଟରେ ବିଜୟ ହାସଲ କରିଥିବା ବେଳେ ମେଂଟ ସହଯୋଗୀ ଅପନା ଦଳ ୧୨ ଏବଂ ନିଷାଦ ପାର୍ଟି ଛଅଟି ସିଟରେ ବିଜୟୀ ହୋଇଛନ୍ତି । ଏହାକୁ ମିଶାଇ ବିଜେପି ମେଂଟ ୨୭୩ ସିଟରେ ବିଜୟ ହାସଲ କରିଛନ୍ତି ।
