ଆଜି ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ଆଜି (ଗୁରୁବାର) ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ । ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଏହି ବିମାନ ବନ୍ଦର ବିକଶିତ କରାଯାଉଛି । ଫଳରେ ରାଜ୍ୟରେ ଏକାଧିକ ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ନିକଟରେ କୁଶୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟିତ ହୋଇଛି ଏବଂ ଅଯୋଧ୍ୟା ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣାଧୀନ ରହିଛି।
ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ବିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ କରାଯାଉଛି । ଏହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଭିଡ ହ୍ରାସ କରିବାରେ ସହାୟକ ହେବ। ନୂତନ ବିମାନ ବନ୍ଦର ରଣନୈତିକ ଦୃଷ୍ଟିକୋଣରୁ ଏପରି ଏକ ସ୍ଥାନରେ ନିର୍ମାଣ କରାଯାଉଛି ଯାହାର ଲାଭ ଦିଲ୍ଲୀ, ନୋଏଡା, ଗାଜିଆବାଦ, ଅଲିଗଡ, ଆଗ୍ରା, ଫରିଦାବାଦ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ମିଳିପାରିବ। ଏହି ବିମାନ ବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ସ ପ୍ରବେଶ ଦ୍ବାରରେ ପରିଣତ ହେବ। ଆକାର ଏବଂ କ୍ଷମତା ଦୃଷ୍ଟିରୁ, ଏହି ବିମାନ ବନ୍ଦର ଉତ୍ତର ପ୍ରଦେଶର ବିକାଶ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଭାରତରେ ପ୍ରଥମ ଥର ପାଇଁ, ଲଜିଷ୍ଟିକ୍ସର ମୋଟ ସମୟ ଏବଂ ଖର୍ଚ୍ଚ ହ୍ରାସ ପ୍ରତି ଧ୍ୟାନ ଦିଆଯାଇ ସମନ୍ବିତ ମଲ୍ଟି-ମୋଡାଲ କାର୍ଗୋ ହବ ସହିତ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି। ବିମାନବନ୍ଦରରେ ଏକ ସମର୍ପିତ କାର୍ଗୋ ଟର୍ମିନାଲ ରହିବ ଯାହାର କ୍ଷମତା ୨୦ ଲକ୍ଷ ମେଟ୍ରିକ ଟନ ରହିବ । ଯାହାକି ପରବର୍ତ୍ତୀ ସମୟରେ ୮୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରାଯିବ। ଶିଳ୍ପ ଉତ୍ପାଦର ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେଇ ଏହି ବିମାନ ବନ୍ଦର ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିବେଶ ଆକୃଷ୍ଟ କରିବ । ଦ୍ରୁତ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସ୍ଥାନୀୟ ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ଏହା ବିଭିନ୍ନ ଉଦ୍ୟୋଗ ପାଇଁ ନୂତନ ସମ୍ଭାବନା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏହି ବିମାନ ବନ୍ଦରରେ ଏକ ଭୂତଳ ପରିବହନ କେନ୍ଦ୍ର ରହିବ ଯେଉଁଥିରେ ମଲ୍ଟି ମୋଡାଲ ଗମନାଗମନ କେନ୍ଦ୍ର, ମେଟ୍ରୋ ଓ ହାଇସ୍ପିଡ ରେଳ ଷ୍ଟେସନ, ଟ୍ୟାକ୍ସି, ବସ ସେବା ଓ ବ୍ୟକ୍ତିଗତ ପାର୍କିଂ ସୁବିଧା ରହିବ। ଏହା ସଡକ ପଥ, ରେଳ ଓ ମେଟ୍ରୋ ମାଧ୍ୟମରେ ବିମାନ ବନ୍ଦରକୁ ସଂଯୋଗ ସୁବିଧା ହେବ । ନୋଏଡା ଓ ଦିଲ୍ଲୀ ସିଧାସଳଖ ଯୋଡିହେବେ। ଯମୁନା ଏକ୍ସପ୍ରେସ ୱେ, ପଶ୍ଚିମ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ପୂର୍ବ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଆଦି ଅନ୍ୟ ସମସ୍ତ ପ୍ରମୁଖ ସଡକ ଏବଂ ରାଜପଥ ପ୍ରତ୍ୟକ୍ଷ ଭାବେ ବିମାନ ବନ୍ଦର ସହ ଯୋଡି ହେବେ। ଏହି ବିମାନ ବନ୍ଦକୁ ମଧ୍ୟ ପ୍ରସ୍ତାବିତ ଦିଲ୍ଲୀ-ବାରାଣାସୀ ହାଇ ସ୍ପିଡ ରେଳ ଲାଇନ ସହ ଯୋଡା ଯିବାର ଯୋଜନା ରହିଛି । ଯାହାଫଳରେ ଦିଲ୍ଲୀ ଓ ବିମାନ ବନ୍ଦର ମଧ୍ୟରେ ଦୂରତା ଅତିକ୍ରମ କରିବାକୁ ମାତ୍ର ୨୧ ମିନିଟ ସମୟ ଲାଗିବ । ଏତତ ବ୍ୟତୀତ ଏହି ବିମାନ ବନ୍ଦର ହେବ ଭାରତର ପ୍ରଥମ ଅଙ୍ଗାରକାମ୍ଳ ନିର୍ଗମନ କ୍ଷମତାସମ୍ପନ୍ନ ବିମାନ ବନ୍ଦର । ପ୍ରସ୍ତାବିତ ପ୍ରକଳ୍ପ କ୍ଷେତ୍ରରୁ ଗଛ ଆଣି ବିମାନ ବନ୍ଦର ନିକଟରେ ନିର୍ମାଣ କରାଯିବାକୁ ଥିବା ଏକ ଫରେଷ୍ଟ ପାର୍କରେ ରୋପଣ କରାଯିବ। ଏହି ପାର୍କ ପାଇଁ ସ୍ବତନ୍ତ୍ର ଜମି ଆବଣ୍ଟନ କରାଯାଇଛି। ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ ହେବା ସମୟରେ ସମସ୍ତ ସ୍ଥାନୀୟ ଜୈବ ପ୍ରଜାତିକୁ ସୁରକ୍ଷିତ ରଖାଯିବ ଏବଂ ଏହା ପରିବେଶ ଅନୁକୂଳ କରାଯିବ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସହର ଉନ୍ନୟନ ମନ୍ତ୍ରଣାଳୟର ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦର ବିକାଶ ପାଇଁ ୧୦ ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୩୦୦ ହେକ୍ଟରରୁ ଅଧିକ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ବାର୍ଷିକ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ ହେବ ।
