ଆଜି କାନପୁର ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୧ଟା ୩୦ ମିନିଟ ସମୟ ରେ କାନପୁର ମେଟ୍ରୋ ରେଲ ପ୍ରକଳ୍ପର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ବିନା-ପାଙ୍କି ମଲଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।
ସହରାଞ୍ଚଳ ଗମନାଗମନକୁ ସୁଗମ କରିବା ପାଇଁ କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସଂପୂର୍ଣ୍ଣ ହୋଇଥିବା ସେକ୍ସନର ଉଦଘାଟନ ହେବ । ସମାପ୍ତ ହୋଇଥିବା ୯ କିଲୋମିଟର ଲମ୍ବା ସେକ୍ସନଟି ଆଇଆଇଟି କାନପୁରରୁ ମୋତି ଜେଲ ପର୍ଯ୍ୟନ୍ତ ରହିଛି। ଉଦଘାଟନ ପରେ ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିବେ । ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନାଗର ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା କରିବେ। କାନପୁରରେ ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ଲମ୍ବ ୩୨ କିମି ଏବଂ ଏହାକୁ ୧୧,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ କରାଯାଉଛି।
ପ୍ରଧାନମନ୍ତ୍ରୀ ବିନା-ପାଙ୍କି ମଲ୍ଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିବେ। ୩୫୬ କିମି ଲମ୍ବା ପ୍ରକଳ୍ପର ବାର୍ଷିକ ପ୍ରାୟ ୩.୪୫ ନିୟୁତ ମେଟ୍ରିକ ଟନ କ୍ଷମତା ରହିଛି। ମଧ୍ୟପ୍ରଦେଶର ବିନା ରିଫାଇନାରୀରୁ କାନପୁରର ପାଙ୍କି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ୧୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି। ଏହା ସହାୟତାରେ ଏହି ଅଞ୍ଚଳରେ ବିନା ରିଫାଇନାରୀରୁ ପେଟ୍ରୋଲିୟମ ଉତ୍ପାଦ ସହଜରେ ଉପଲବ୍ଧ ହୋଇପାରିବ। ଏହାପରେ ପ୍ରଧାନମନ୍ତ୍ରୀ ଆଇଆଇଟି କାନପୁରର ୫୪ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସମାବର୍ତ୍ତନ ଉତ୍ସବରେ ସମସ୍ତ ଛାତ୍ରଙ୍କୁ ନ୍ୟାସନାଲ ବ୍ଲକ ଚେନ ପ୍ରୋଜେକ୍ଟ ଅନ୍ତର୍ଗତ ଇନଷ୍ଟିଚ୍ୟୁଟରେ ବିକଶିତ ଏକ ଇନ-ହାଉସ ବ୍ଲକ ଚେନ-ଟେକ୍ନୋଲୋଜି ମାଧ୍ୟମରେ ଡିଜିଟାଲ୍ ଡିଗ୍ରୀ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ବ୍ଲକ ଚେନ ଆଧାରିତ ଡିଜିଟାଲ ଡିଗ୍ରୀର ଶୁଭାରମ୍ଭ କରିବେ। ଏହି ଡିଜିଟାଲ ଡିଗ୍ରୀଗୁଡିକ ସାରା ବିଶ୍ବରେ ଯାଞ୍ଚ କରାଯାଇପାରିବ ଏବଂ ଏହାର ନକଲ କରାଯାଇ ପାରିବ ନାହିଁ।
