ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ବକ୍ତବ୍ୟ ରଖି ମୋଦୀ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସଙ୍କଳ୍ପରୁ ସିଦ୍ଧି ପର୍ଯ୍ୟନ୍ତର ଯାତ୍ରାକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଛି । ମୋତେ ପୂର୍ବରୁ ମଧ୍ୟ ଅନେକ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବାର ସୌଭାଗ୍ୟ ମିଳିଛି । କିନ୍ତୁ ଏଥର ମହାମହିମ ରାଷ୍ଟ୍ରପତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ସେ ଆମ ସମସ୍ତଙ୍କୁ ମାର୍ଗଦର୍ଶନ ଦେଖାଇଛନ୍ତି । ତାଙ୍କ ଉପସ୍ଥିତି ଆଦିବାସୀ ସମାଜର ଗୌରବ ବଢ଼ାଇଛି । ଏଥିସହିତ ଆଦିବାସୀ ସମାଜର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି । ମହାମାରୀର ସଫଳ ମୁକାବିଲା ସାରା ବିଶ୍ୱର ନଜର ବଦଳାଇ ଦେଇଛି । ବିଶ୍ୱର ସର୍ବବୃହତ ଟିକା ଅଭିଯାନ ଭାରତ ସଫଳତାର ସହ କରିଛି । ସମଗ୍ର ଦେଶର ୧୦୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦେଇଛୁ । ସାରା ଦୁନିଆ ଏବେ ଭାରତର ସମୃଦ୍ଧିରେ ନିଜ ସମୃଦ୍ଧି ଦେଖୁଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, କିଛି ଲୋକ ଦେଶର ପ୍ରଗତିକୁ ସହି ପାରୁନାହାନ୍ତି । ସେମାନଙ୍କୁ ୧୪୦ କୋଟି ଲୋକଙ୍କ ସାମର୍ଥ୍ୟର ଫଳ ନଜର ଆସୁନି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ଅର୍ଥ ବ୍ୟବସ୍ଥାକୁ ଖରାପ କରାଯାଇଥିଲା । ୨୦୧୦ କମନୱେଲଥ ଗେମ ଘୋଟାଲା ଦେଶକୁ ବଦନାମ କରିଦେଲା । ଟେଲିକମ ସଂସ୍କାର ଆଣିବା ନାମରେ ୨ଜି ଘୋଟାଲା କରିଦେଲେ । କୋଇଲା ଘୋଟାଲା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଲା । ପ୍ରତିରକ୍ଷା କ୍ଷେତ୍ରରେ ଚୁକ୍ତି ଓ ହେଲିକପ୍ଟ ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।
