ଭେଟି ଭାରତରେ ନିବେଶ ପାଇଁ ବିଭିନ୍ନ ଟେକ୍ନୋଲୋଜି କମ୍ପାନିର ସିଇଓମାନଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦି
ୱାଶିଂଟନ : ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଟେକ୍ନୋଲୋଜି କମ୍ପାନିର ସିଇଓମାନଙ୍କୁ ଭେଟି ଭାରତରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ମୋଦୀ ୫ଟି ଆମେରିକୀୟ କମ୍ପାନିର ସିଇଓଙ୍କୁ ଭେଟିବାକୁ ଥିବାବେଳେ ଆଜି କ୍ବାଲକମର ସିଇଓ କ୍ରିଷ୍ଟିଆନୋ ଆମୋନଙ୍କ ସହ ବୈଠକ କରିଛନ୍ତି । ମୋଦୀଙ୍କୁ ଭେଟିବା ପରେ ଆମୋନ କହିଛନ୍ତି ଯେ ସେ ଭାରତରେ ୫ଜି, ସେମି-କଣ୍ଡକ୍ଟର, ଡିଜିଟାଲ ଇଣ୍ଡିଆ ଆଦି କ୍ଷେତ୍ରରେ କାର୍ଯ୍ୟକରିବାକୁ ଆଗ୍ରହୀ ଅଛି । ଭାରତରେ କ୍ବାଲକମକୁ ସବୁପ୍ରକାରର ସହାୟତା ଯୋଗାଇଦିଆଯିବ ବୋଲି ମୋଦୀ କହିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଡୋବି କମ୍ପାନିର ଅଧ୍ୟକ୍ଷ ଶାନ୍ତନୁ ନାରାୟନନଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ କ୍ଷେତ୍ରରେ ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଏହି କମ୍ପାନିକୁ ଆମନ୍ତ୍ରଣ କରିଛନ୍ତି । ଏହା ପରେ ମୋଦୀ ଜେନେରାଲ ଆଟମିକ୍ସର ସିଇଓ ବିବେକ ଲାଲ ଓ ବ୍ଲାକଷ୍ଟୋନର ସିଇଓ ଷ୍ଟିଫେନ ସ୍ବାର୍ଜମ୍ୟାନଙ୍କୁ ଭେଟିବେ । ଜେନେରାଲ ଆଟମିକ୍ସ କମ୍ପାନି ଲଢୁଆ ଡ୍ରୋନ ପ୍ରିଡେଟର ନିର୍ମାଣ କରୁଥିବାରୁ ମୋଦୀଙ୍କ ସହ ବିବେକଙ୍କ ବୈଠକକୁ ଗୁରୁତ୍ବ ଦିଆଯାଉଛି । ପରବର୍ତ୍ତୀ ସମୟରେ ମୋଦୀ ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ, ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
