ମା’ଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଅହମଦାବାଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ବାତିଲ ହେବନି କୌଣସି ସରକାରୀ କାର୍ଯ୍ୟକ୍ରମ: ରିପୋର୍ଟ
ନୂଆଦିଲ୍ଲୀ: ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍। ମା’ଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଆଜି ପ୍ରତ୍ୟୁଷରୁ ଦିଲ୍ଲୀରୁ ବାହାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ପହଞ୍ଚିଛନ୍ତି। କିନ୍ତୁ, ଆଜି ପାଇଁ ନିର୍ଦ୍ଧାରିତ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇ ନ ପାରେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
ଆଜି କୋଲ୍କାତାର ହାୱଡ଼ାରେ ବନ୍ଦେ ଭାରତ ଟ୍ରେନ୍, ରେଳବାଇର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଏବଂ ‘ନମାମି ଗଙ୍ଗା’ରେ କେତେକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମ ଯୋଜନା ମୁତାବକ ଅନୁଷ୍ଠିତ ହେବ ବୋଲି ‘ଏଏନ୍ଆଇ’ ରିପୋର୍ଟ କରିଛି। କିନ୍ତୁ, ଏହି ସବୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଯୋଗ ଦେଇପାରନ୍ତି।
ଅହମଦାବାଦସ୍ଥିତ ‘ୟୁ. ଏନ୍. ମେହେଟ୍ଟା ହସ୍ପିଟାଲ୍’ରେ ଭର୍ତ୍ତି ହେବାର ଦୁଇ ଦିନ ପରେ ଗତ ରାତି ୩.୩୦ରେ ଶତାୟୁ ହୀରାବେନ୍ଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରେସ୍ ନୋଟ୍ରେ ଡାକ୍ତରଖାନା ସୂଚନା ଦେଇଛି। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ବୋଲି ଗୁରୁବାର ଦିନ ଜାରି କରିଥିବା ବିବୃତିରେ ଡାକ୍ତରଖାନା କହିଥିଲା। ବୁଧବାର ଦିନ ମାଆ ହୀରାବେନ୍ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଅହମଦାବାଦ ଯାଇ ଦେଢ଼ ଘଣ୍ଟା ପରେ ଦିଲ୍ଲୀ ଫେରିଆସିଥିଲେ।
ସୂଚନା ଯେ, ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ରାଇସନ୍ ଗାଁରେ ୧୯୨୩ ଜୁନ୍ ୧୮ ତାରିଖରେ ଜନ୍ମିତା ହୀରାବେନ୍ ଅବସରପ୍ରାପ୍ତ ଗୁଜରାଟ ସରକାରୀ କର୍ମଚାରୀ ତଥା ସବା ସାନପୁଅ ପଙ୍କଜଙ୍କ ନିକଟରେ ରହୁଥିଲେ।
