ବିରୋଧୀ ମେଣ୍ଟକୁ ଇଷ୍ଟ ଇଣ୍ଡିଆ ସହ ତୁଳନା କଲେ ପ୍ରଧାନମନ୍ତ୍ରୀ, ଉତ୍ତର ରଖିଲେ ରାହୁଲ
ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ ସଂସଦରେ ଲଗାତାର ଜାରି ରହିଛି ଉତ୍ତେଜନା। ବିରୋଧୀ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ଠାରୁ ଉତ୍ତର ମାଗୁଥିବା ବେଳେ ବିରୋଧୀମାନେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ସରକାର। ତେବେ ଏହି ସମୟରେ ବିଜେପି ସଂସଦୀୟ ଦଳର ଏକ ବୈଠକ ଡକାଯାଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଇଷ୍ଟ ଇଣ୍ଡିଆ ସହ ତୁଳନା କରିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନର ଜବାବ ଦେଇଛି ବିରୋଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଇଣ୍ଡିଆ’ ମିଳିତ ମଞ୍ଚ ଉପରେ ପ୍ରଶ୍ନ ଉଠାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଆମେ ଭାରତ। ମଣିପୁରରେ ଆମେ ଭାରତର ଧାରଣାକୁ ପୁନଃ ନିର୍ମାଣ କରିବୁ।
ରାହୁଲ ଟୁଇଟ କରି କହିଛନ୍ତି ମାନମୀୟ ମୋଦି “ଆପଣ ଯାହା ଚାହାଁନ୍ତି ଆମକୁ ଡାକି ପାରନ୍ତି । ଆମେ ଭାରତ। ଆମେ ମଣିପୁରକୁ ସୁସ୍ଥ କରିବାରେ ସାହାଯ୍ୟ କରିବୁ ଏବଂ ପ୍ରତ୍ୟେକ ମହିଳା ଏବଂ ଶିଶୁଙ୍କ ଲୁହ ପୋଛିଦେବୁ। ଆମେ ମଣିପୁରରେ ଭାରତର ଧାରଣାକୁ ପୁନଃ ନିର୍ମାଣ କରିବୁ।” ରାହୁଲ ଗାନ୍ଧୀଙ୍କ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, “ଆମେ ମଣିପୁର ବିଷୟରେ କହୁଛୁ, କିନ୍ତୁ ପ୍ରଧାନମନ୍ତ୍ରୀ “ଇଣ୍ଡିଆ”କୁ ଗୃହ ବାହାରେ “ଇଷ୍ଟ ଇଣ୍ଡିଆ କମ୍ପାନୀ” ବୋଲି କହୁଛନ୍ତି!
କଂଗ୍ରେସ ଦଳ ସର୍ବଦା ‘ମଦର ଇଣ୍ଡିଆ’ ଅର୍ଥାତ୍ ‘ଭାରତ ମାତା’ ସହିତ ରହିଆସିଛି। ବ୍ରିଟିଶର ଦାସମାନେ ବିଜେପିର ରାଜନୈତିକ ବଂଶଧର ଥିଲେ। ପ୍ରଧାନମନ୍ତ୍ରୀ ଏପରି ଭାଷଣବାଜି ବନ୍ଦ କରିବା ଉଚିତ୍। ବିରୋଧୀ ଦଳଙ୍କ ଉତ୍ତେଜନା ମଧ୍ୟରେ ବିଜେପି ସଂସଦୀୟ ଦଳ ବୈଠକ ଡାକିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳକୁ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଇନ୍ସ’ (ଇଣ୍ଡିଆ)କୁ ଦେଶର ସବୁଠାରୁ ‘ଦିଗହୀନ’ ସହଯୋଗୀ ବୋଲି କହିଛନ୍ତି ଏଥିସହ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ ମୁଜାହିଦ୍ଦିନ ଭଳି ନାମ ଉଲ୍ଲେଖ କରି କହିଛନ୍ତି ଯେ ଦେଶର ନାମ ବ୍ୟବହାର କରି ଲୋକଙ୍କୁ ଭ୍ରାନ୍ତ କରାଯାଇପାରିବ ନାହିଁ।
