ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ନା ଯଶୱନ୍ତ? ଏହି ପ୍ରାର୍ଥୀଙ୍କୁ ସମର୍ଥନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତିଙ୍କ ନିର୍ବାଚନକୁ ନେଇ ଦେଶରେ ରାଜନୀତି ସରଗରମ ହୋଇଛି। ବିଜେପି ନେତୃତ୍ୱାଧିନ ଏନଡିଏ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ବିରୋଧି ମେଣ୍ଟ ଯଶୱନ୍ତ ସିହ୍ନାଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି, ୱାଇଏସଆରସି, ଜେଡୁୟୁ ପରି ଆଞ୍ଚଳିକ ଦଳ ଦ୍ରୌପଦୀଙ୍କ ସମର୍ଥନରେ ବାହାରିଛନ୍ତି। ଅନ୍ୟପଟେ ତେଲେଙ୍ଗାନାର ଶାସକ ଦଳ ଟିଆରଏସ୍, ଯଶୱନ୍ତଙ୍କୁ ସମର୍ଥନ ଜଣାଉଥିବା ଘୋଷଣା କରିଛି।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି। ଏହି ସମୟରେ ବିଜେଡିର ଦୁଇ ଜଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ସୋମବାର ବିରୋଧି ମେଣ୍ଟ ଯଶୱନ୍ତ ସିହ୍ନା ନାମାଙ୍କନ ପତ୍ର ଦାଖଲ କରିବେ। ଯଶୱନ୍ତଙ୍କ ନାମାଙ୍କନ ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଟିଏସଆର ଦଳର କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ଉପସ୍ଥିତ ରହିବେ। ଏଥିପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ଗସ୍ତ କରିଛନ୍ତି। ସୂଚନା ଯେ, ରାଷ୍ଟ୍ରପତି ନିର୍ବାଚନ-୨୦୨୨ ପାଇଁ ଗତ ଜୁନ ୧୫ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ ୨୯ ନାମାଙ୍କନର ଶେଷ ଦିନ ଥିବା ବେଳେ ୩୦ରେ ଯାଞ୍ଚ ଓ ଜୁଲାଇ ୨ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ମିଳିବ। ଜୁଲାଇ ୧୮ରେ ନିର୍ବାଚନ ହେବ ଓ ୨୧ ତାରିଖ ସୁଦ୍ଧା ଭୋଟ ଗଣନା ସାରିବାରୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛି ।
କାହାକୁ କିଏ ସମର୍ଥନ କରୁଛନ୍ତି :
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ: BJP, YSRC, BJD, Lok Jan Shakti, JD(S), JD(U), BSP ।
ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ: TMC, NCP, Shiv Sena, CPI, CPIML, DMK, RJD, SP, National Congress, TDP, PDP, JDS, RLD, RSP, IUML ଓ JMM ।
