ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ବ୍ରିଟେନର ଦିବଂଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଯିବେ। ସେପ୍ଟେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ରାଣୀଙ୍କ ଅନ୍ତ୍ୟେଷ୍ଟିରେ ଭାରତ ସରକାରଙ୍କ ତରଫରୁ ରାଷ୍ଟ୍ରପତି ମୁର୍ମୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮ରେ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ବ୍ରିଟେନ ରାଣୀଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିସାରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସେପ୍ଟେମ୍ବର ୧୩ରେ ବ୍ରିଟିଶ ହାଇ କମିଶନଙ୍କ ନିକଟକୁ ଯାଇ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସୂଚନା ଯେ, ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ସେପ୍ଟେମ୍ବର ୧୧ରେ ଭାରତ ସରକାର ମଧ୍ୟ ରାଷ୍ଟ୍ରୀୟ ଶୋକ ପାଳନ କରିଥିଲେ।
