ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି, ଲାଇଟ୍ ହାଉସ୍ କମ୍ପ୍ଲେକ୍ସର କଲେ ଶିଳାନ୍ୟାସ
- ମଧ୍ୟାହ୍ନ ଭୋଜନ ପାଇଁ ୧୯ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ
ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ଗୁରୁବାର ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନରୁ ବାହାରି ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କେନ୍ଦ୍ରଠାରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ରାଷ୍ଟ୍ରପତି ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଅଛନ୍ତି ।
ବ୍ରହ୍ମକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହିତ ଆଲୋଚନା କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଏହିଠାରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ବ୍ରହ୍ମାକୁମାରୀ ଆଶ୍ରମ ତରଫରୁ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ୧୯ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । ଲଞ୍ଚରେ ଭାତ, ଡାଲମା, ପୋଟଳ କୁର୍ମା, ପନିର, ଛତୁ, ଧନିଆ ଚଟଣୀ, ମିକ୍ସ ଭେଜ୍, ଆମ୍ବ ଖଟା ଆଦି ସାମିଲ ରହିଛି। ସେହିପରି କ୍ଷୀରି ଓ ସ୍ୱତନ୍ତ୍ର ଲଡୁ ମଧ୍ୟ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶାକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି । ବିନା ପିଆଜ ରସୁଣର ସାତ୍ତ୍ୱିକ ଭୋଜନ ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହାପରେ ରାଜଭବନରେ ଆଦିମ ଜନଜାତିଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ୧୩ଟି ଆଦିମ ଜନଜାତି ଥିବାବେଳେ ପୂର୍ବରୁ ମୟୁରଭଞ୍ଜରେ ୩ଟି ଗ୍ରୁପ ସହ ଆଲୋଚନା କରିସାରିଛନ୍ତି । ଗୁରୁବାର ଆଉ ୧୦ଟି ଗ୍ରୁପର ୫୦ଜଣଙ୍କ ସହ ବୈଠକ କରିବେ । ଗୁରୁବାର କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ମହାମହିମ ।

ସେହିପରି ଗତ ବୁଧବାର ଦିନ ତମାମ କଟକରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ପରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ।
ସୂଚନା ଯେ, ଆଜି ଭୁବନେଶ୍ୱରରେ କାର୍ଯ୍ୟକ୍ରମ ସାରି ଆଜି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ମହାମହିମ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ତୃତୀୟ ଓଡ଼ିଶା ଗସ୍ତ। ଫେବୃଆରୀ ୧୦ ଓ ୧୧ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
