ରାଜସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷାର ତାଣ୍ଡବ ! ଭାସିଗଲା କାର୍ ଓ ବାଇକ୍
ନୂଆଦିଲ୍ଲୀ: ରାଜସ୍ଥାନରେ ତାଣ୍ଡବ ରଚିଛି ପ୍ରାକ୍ ମୌସୁମୀ ବର୍ଷା । ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଦୋକାନଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ପାଣି ପଶିଛି । କିଛି ଜାଗାରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି । ସୋମବାର ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇ ବିଳମ୍ବିତ ରାତି ୧୧ ଟା ଯାଏଁ ବର୍ଷିଥିଲା । ଫଳରେ ବାଡମେର ସହରରେ ଦୀର୍ଘ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ସହରର ବସ୍ତି ଅଞ୍ଚଳ ପାଣି ଘେରରେ ରହିଥିବାବେଳେ ଏହାର ସ୍ରୋତ ଏତେ ଅଧିକ ଥିଲା ଯେ କିଛି ସ୍ଥାନରେ କାର୍, ବାଇକ୍ ଆଦି ଗାଡି ଭାସି ଯାଇଥିବା ଦେଖିବାକୁ ମିଳିଥିଲା ।
ଏବେବି ଅନେକ ସ୍ଥାନରେ ପାଣି ଜମି ରହିଛି । ଦୋକାନଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ପାଣି ପଶିଛି । ହାଥମା, ରାମସର ଆଦି କିଛି ଜାଗାରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଜୈଶଲମେର, ବାଡମେର, ଭୀଲବାଡା, ଶ୍ରୀଗଙ୍ଗାନଗର, ହନୁମାଗଡ, ଚିତୋଡଗଡ ଆଦି ସ୍ଥାନରେ ବର୍ଷା ଓ ଘଡଘଡି ନେଇ ଆଲର୍ଟ ଜାରି କରାଯାଇଛି ।
