ଇତିହାସ ରଚିଲା ଓଡିଶା ବିଧାନସଭା, ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ସୃଷ୍ଟି ହୋଇଛି ନୂଆ ଇତିହାସ। ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଆଉ କେହି ପ୍ରାର୍ଥୀ ନଥିବାରୁ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଆଜି ସେ ଦାୟିତ୍ବ ଗ୍ରହଣ କରିଛନ୍ତି।
ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତାପରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଆଜି ପରେ ବିଧାନସଭାରେ ଆଉ ଶୁଭିବ ନାହିଁ ଅନରେବଲ ସ୍ପିକର ସାର। ଦୀର୍ଘ ସାତ ଦଶନ୍ଧି ଧରି ଚାଲିଥିବା ଏ ଡାକର ଅନ୍ତ ହେବ । ଏଣିକି ଶୁଭିବ ଅନରେବଲ ମାଡାମ ସ୍ପିକର। ଦେଶ ସ୍ବାଧୀନ ହେବା ଠାରୁ ଆଜିଯାଏଁ ବିଧାନସଭାରେ କେବଳ ପୁରୁଷ ବାଚସ୍ପତି ଦାୟିତ୍ବ ତୁଲାଇ ଆସୁଥିଲେ।
ସୂଚନା ଯେ, ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ହେବା ପରେ ବାଚସ୍ପତି ପଦ ଖାଲି ପଡିଥିଲା । ଗତ ୨୦ ତାରିଖରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଶାସକ ବିଜେଡି । ଗତକାଲି ସେ ନାମାଙ୍କନ ଦାଖଲ କରିଥିଲେ । ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ପ୍ରମିଳା ସମ୍ଭାଳିଥିବା ରାଜସ୍ୱ ଓ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
