ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ
କଟକ : ଓଡ଼ିଶାରେ ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ରୋମାଣ୍ଟିକ ଗୀତରେ ମତୁଆଲା ହୋଇ ଉଠନ୍ତି ଶ୍ରୋତାଗଣ । ହେଲେ ଏହି କଣ୍ଠଶିଳ୍ପୀ ଏବେ ବିବାଦ ଘେରରେ ଫସିଛନ୍ତି। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ଏବେ କଟକ ସେକ୍ଟର ୬ରେ ରହୁଥିବା ଖବର ରହିଛି। ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ସେହିପରି ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଥିଲେ ।
ଆଉ ଗତକାଲି ଡିସିପିଙ୍କ ଅଫିସକୁ ଯାଇ ଏନେଇ ସେ ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନେକ ସମୟରେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ଥାଆନ୍ତି ହ୍ୟୁମାନ ସାଗର । ଅନେକ ତାଙ୍କ ରୋମାଣ୍ଟିକ ଭଏସରେ ଫିଦା ହୋଇଥାନ୍ତି । ହେଲେ ଗତ କିଛି ମାସ ତଳେ ଗୀତକୁ ନେଇ ଖୁବ ଟ୍ରୋଲ ହୋଇଥିଲେ ହ୍ୟୁମାନ ସାଗର । ‘ଝିଅ ନୁହେଁ ତୁ କୋରୋନା ଭାଇରସ୍’ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଥିଲା। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ସେତେବେଳେ ଟ୍ରୋଲର ଶିକାର ହୋଇଥିଲେ । ଏହି ଗୀତରେ କୋରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଥିଲା।
କରୋନା ଭାଇରସକୁ ନେଇ ସେତେବେଳେ ସାରା ବିଶ୍ୱରେ ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତ ଗାଇଥିବାରୁ ସୋସିଆଲ ମିଡିଆରେ ହ୍ୟୁମାନଙ୍କୁ ବେଶ୍ ଟ୍ରୋଲ କରାଯାଇଥିଲା । ଏହି ବିବାଦ ଥିଲା ୨୦୨୦ ମସିହାର। ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଏ ଗୀତକୁ କମେଡି ବୋଲି କହିବା ସହିତ ଗୀତର ଲେଖାକୁ ଅତି ସୁନ୍ଦର ବୋଲି କହିଥିଲା। ଯାହାକୁ ନେଇ ରାଗରେ ଗର ଗର ହେଉଥିଲେ ଫ୍ୟାନ୍ସ। ସେହିପରି ୨୦୨୨ ମସିହାରେ ବି ଏକ ପ୍ରସଙ୍ଗରେ ଫସିଥିଲେ ହ୍ୟୁମାନ ସାଗର।
ସେତେବେଳେ ଧର୍ମ ଓ ସମ୍ପ୍ରଦାୟକୁ ନେଇ ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ବେଶ ଟ୍ରୋଲ କରାଯାଇଥିଲା । କୁହାଯାଉଥିଲା ଯେ, ଭିନ୍ନ ଧର୍ମର ହୋଥିବାରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଜଗନ୍ନାଥ ଭଜନ ଗାଉ ନାହାନ୍ତି । ହେଲେ ସେହି ସମୟରେ ସେମାନଙ୍କ ମୁହଁ ବନ୍ଦ କରିଦେଇଥିଲେ ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀ ।ଖବର ଅନୁଯାୟୀ, ନିଶ୍ଚିନ୍ତକୋଇଲି ଜିଗନିପୁରଠାରେ ଆୟୋଜିତ ମହାଙ୍ଗା ମହୋତ୍ସବରେ ଜଗନ୍ନାଥଙ୍କ ଭଜନ ଗାଇଥିଲେ ହ୍ୟୁମାନ ସାଗର । ଓଲିଉଡର ଅନେକ ଫିଲ୍ମ ସହ ଆଲବମରେ ନିଜ କଣ୍ଠର ଯାଦୁ ଦେଖାଇଛନ୍ତି ହ୍ୟୁମାନ ସାଗର। ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର, ଅଜଣା ଅଶୁଣା, ଜାନୁ ତୁମେ ଚମକୁଛ ପରି ଗୀତ ଗାଇ ବେଶ ଚର୍ଚ୍ଚାରେ ଅଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର।
