କଟକରେ ନକଲି ମସଲା କାରଖାନା ଠାବ, ସିଲ୍ କଲା ପୋଲିସ
କଟକ : କଟକ ସହରରୁ କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ଶସ, ନକଲି ଲଙ୍କାଗୁଣ୍ଡ ଆଦି ଦେଖିବାକୁ ମିଳିଥିଲା । ଏବେ ଦେଖିବାକୁ ମିଳିଛି ନକଲି ମସଲା । ଶନିବାର କମିଶନରେଟ ପୁଲିସ ପକ୍ଷରୁ କଟକ ସହରରେ ନକଲି ମସଲା କାରଖାନାରେ ଚଢ଼ାଉ କରାଯାଇଛି ଏବଂ ବିପୁଳ ପରିମାଣ ନକଲି ସାମଗ୍ରୀ ଠାବ କରିଛି । ବୟାଳିଶ ମୌଜାରେ ଚାଲିଥିବା ନକଲି କାରଖାନା ଉପରେ ପୁଲିସର ଚଢ଼ାଉ କରିଛି ଏବଂ କାରଖାନା ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ କରିଛି । ଏହି ନକଲି ମସଲା ତିଆରି କାରଖାନାକୁ ପୁଲିସ ସିଲ କରିବା ପରେ ମାଲିକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ମିଳିଛି ।
କଟକରେ ନକଲି ସାମଗ୍ରୀ ଓ ଭେଜାଲ ଜିନିଷ ଉପରେ ବାରମ୍ବାର ଚଢଉ କରାଯାଉ ଥିବା ବେଳେ ଏହାକୁ ସଂପୂର୍ଣ୍ଣ ଭାବେ ରୋକିବା ସମ୍ଭବ ହେଉନିା ସିଏମସି ଖାଦ୍ୟ ନିରାପତ୍ତା ଓ ପୋଲିସ ବିଭାଗ ପକ୍ଷରୁ ଘନ ଘନ ଚଢଉ କରାଯାଉଛି । ମାତ୍ର କଠୋର ଦଣ୍ଡବିଧାନ ନ ହେବାରୁ ବ୍ୟବସାୟୀ ଜଣକ ଜାମିନରେ ଆସି ପୁଣି ନକଲି ସାମଗ୍ରୀ ତିଆରି କରି ବଜାରକୁ ଛାଡି ଅଧିକ ମୁନାଫା କମାଉଥିବା ଜଣାଯାଇଛି । ଶନିବାର ପୁଣି ୪୨ ମୈାଜାର ଝିଙ୍କିରିଆଠାରେ ଏକ ଅପମିଶ୍ରିତ ଲଙ୍କା ଓ ହଳଦୀଗୁଣ୍ଡ କାରଖାନାରେ ଚଢଉ କରାଯାଇଛି । ଚଢଉ ବେଳେ ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଥିବା ପ୍ୟାକେଟ୍ ସହିତ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଠାବ ହୋଇଛି । ଏହି କାରଖାନାର ମାଲିକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ ଅପମିଶ୍ରିତ ସାମଗ୍ରୀକୁ ଯାଂଚ ପାଇଁ ପଠାଇଥିବା ଜଣାଯାଇଛି ।
