ତୁରେକେଲା ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା ଅଭିଯୁକ୍ତ ପ୍ରେମିକକୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ତୁରେକେଲା ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି କଂଟାବାଞ୍ଜି ପୋଲିସ । ଗୁଳି କରି ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ପ୍ରେମିକାର ଶବକୁ ଜାଳି ଦେଇଥିଲା ଅଭିଯୁକ୍ତ । ପୂର୍ବରୁ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ । ରିମାଣ୍ଡ ଅବଧି ଶେଷ ପରେ ଆଜି ତାକୁ କଂଟାବାଞ୍ଜି ଜେଏମଏଫସି କୋର୍ଟରେ ହାଜର କରିଥିଲା । ଅଧିକ ପଚରା ଉଚୁରା ପାଇଁ ପୁଣି ଥରେ କୋର୍ଟଙ୍କ ଅନୁମତି କ୍ରମେ ଅଭିଯୁକ୍ତ ପ୍ରେମିକକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏହି ରିମାଣ୍ଡ ସମୟରେ ପୋଲିସ ଅଭିଯୁକ୍ତ ନିକଟରୁ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ହତ୍ୟାରେ ବ୍ୟବହୃତ କାର୍ କୁ ମଧ୍ୟ ଜବତ କରିଛି ପୋଲିସ । କାର୍ ଭିତରେ ରକ୍ତଛିଟା ଓ ଗୁଳି ଦାଗ ଥିବା ଜଣାପଡିଛି । ହତ୍ୟା ଘଟଣାରେ ଅନ୍ୟ ତିନି ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ଦେଇଛନ୍ତି କଂଟାବାଞ୍ଜି ଏସଡ଼ିପିଓ ।
