ବିଷ ପାଲିଟିଲାଣି ତିନି ଚତୁର୍ଥାଂଶ ନଦୀ, ପବିତ୍ର ଗଙ୍ଗାରେ ସର୍ବାଧିକ ଘାତକ ଧାତୁ
ନୂଆଦିଲ୍ଲୀ : ଭାରତ, ଚୀନ୍ ଏବଂ ନେପାଳର ପଚିଶଟି ଗ୍ଲାସିଅଲ୍ ହ୍ରଦ ଏବଂ ଜଳାଶୟରେ ୨୦୦୯ ମସିହାରୁ ସେମାନଙ୍କ ଜଳସ୍ରୋତରେ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ଜଳସ୍ରୋତରେ ଏହି ପରିବର୍ତ୍ତନ ପାଞ୍ଚଟି ଭାରତୀୟ ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗୁରୁତର ବିପଦ। ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର (ସିଏସଇ)ର ରିପୋର୍ଟ ଅନୁଯାୟୀ ଆସାମ, ଅରୁଣାଚଳ ପ୍ରଦେଶ, ସିକ୍କିମ୍, ବିହାର, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଥିବା ସାତୋଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନଦୀ ପ୍ରଭାବିତ ହୋଇଛନ୍ତି।
ଜଳାଶୟ କୂଳ କ୍ଷୟ :
‘ଷ୍ଟେଟ୍ ଅଫ୍ ଇଣ୍ଡିଆର ପରିବେଶ ୨୦୨୨: ଇନ୍ ଫିଗର୍ସ’ ରିପୋର୍ଟରେ ପ୍ରକାଶିତ ତଥ୍ୟ ସମଗ୍ର ଦୁନିଆକୁ ଚିନ୍ତାରେ ପକାଇ ଦେଇଛି। ରିପୋର୍ଟ ଅନୁଯାୟୀ, ୧୯୯୦ରୁ ୨୦୧୮ ମଧ୍ୟରେ ଭାରତର ଏକ ତୃତୀୟାଂଶରୁ ଅଧିକ ଉପକୂଳବର୍ତ୍ତୀ ଅଞ୍ଚଳରେ କିଛି ମାତ୍ରାରେ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କାରଣ ଏଠାରେ ଉପକୂଳର କ୍ଷୟ ୬୦ ପ୍ରତିଶତରୁ ଅଧିକ ରହିଛି। ଏଥିରେ କୁହାଯାଇଛି ଯେ, ବାରମ୍ବାର ଘୂର୍ଣ୍ଣିବଳୟ, ସମୁଦ୍ର ପତ୍ତନ ବୃଦ୍ଧି, ଆନ୍ଥ୍ରୋପୋଜେନିକ୍ କାର୍ଯ୍ୟକଳାପ ଯେପରିକି ବନ୍ଦର ନିର୍ମାଣ, ସମୁଦ୍ରକୂଳ ଖଣି ଏବଂ ଡ୍ୟାମ ନିର୍ମାଣ ଉପକୂଳର କ୍ଷୟ ହେବାର ମୂଖ୍ୟ କାରଣ।
ସରକାରୀ ତଥ୍ୟ ଉପରେ ଆଧାରିକ ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତର ପ୍ରତି ଚାରିଟି ନଦୀ ମନିଟରିଂ ଷ୍ଟେସନ ମଧ୍ୟରୁ ତିନୋଟିରେ ପ୍ରମୁଖ ବିଷାକ୍ତ ଧାତୁ ଯଥା ସୀସା, ଲୁହା, ନିକେଲ, କ୍ୟାଡମିୟମ, ଆର୍ସେନିକ, କ୍ରୋମିୟମ ଏବଂ ତମ୍ବା ଭଳି ଧାତବ ଦ୍ରବ୍ୟ ରେକର୍ଡ କରାଯାଇଛି। ୧୧୭ ନଦୀ ଓ ଉପନଦୀଗୁଡିକରେ ବିସ୍ତାରିତ ମନିଟରିଂ ଷ୍ଟେସନଗୁଡିକର ଏକ ଚତୁର୍ଥାଂଶରେ ଦୁଇ କିମ୍ବା ଅଧିକ ବିଷାକ୍ତ ଧାତୁର ଉଚ୍ଚ ସ୍ତର ମିଳିଛି। ବିଶେଷକରି ଗଙ୍ଗା ନଦୀର ୩୩ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୧୦ଟିରେ ପ୍ରଦୂଷଣ ସ୍ତର ବହୁତ ଅଧିକ ରହିଛି।
୬୩ ବର୍ଷ ପରେ ସ୍ଥିତି ହେବ ସାଙ୍ଘାତିକ :
ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୩୦ ସୁଦ୍ଧା ଭାରତର ଜଙ୍ଗଲ କ୍ଷେତ୍ରର ୪୫ରୁ ୬୪ ପ୍ରତିଶତ ଜଳବାୟୁ ହଟସ୍ପଟରେ ପରିଣତ ହେବାର ସମ୍ଭାବନା ରହିଛି। ଏଥି ସହିତ ୨୦୫୦ ସୁଦ୍ଧା ଦେଶର ପ୍ରାୟ ସମସ୍ତ ଜଙ୍ଗଲ କ୍ଷେତ୍ର ଜଳବାୟୁ ହଟସ୍ପଟରେ ପରିଣତ ହେବାର ଆଶଙ୍କା କରାଯାଉଛି। ସିଏସଇ ରିପୋର୍ଟରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ହେତୁ ହୋଇଥିବା କ୍ଷତିର ଗମ୍ଭୀରତା ୨୦୮୫ ମସିହାରେ ବୃଦ୍ଧି ପାଇବ। ଜଳବାୟୁ ହଟସ୍ପଟ୍ ହେଉଛି ଏକ କ୍ଷେତ୍ର, ଯାହା ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବର ସମ୍ମୁଖୀନ ହୋଇପାରେ। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ୨୦୧୯-୨୦ରେ ଭାରତରେ ଉତ୍ପାଦିତ ୩.୫ ମିଲିୟନ୍ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ୧୨ ପ୍ରତିଶତ ପୁନଃବ୍ୟବହାର କରାଯାଇଥିବା ବେଳେ ୨୦ ପ୍ରତିଶତକୁ ପୋଡାଯାଇଛି। ଅବଶିଷ୍ଟ ୬୮ ପ୍ରତିଶତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବିଷୟରେ କୌଣସି ସୂଚନା ନଥିବାବେଳେ ଏହା ଡମ୍ପିଂ ସାଇଟ ଏବଂ ଲ୍ୟାଣ୍ଡଫିଲରେ ବ୍ୟବହାର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
