କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ନୂଆଦିଲ୍ଲୀ : ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା ହୋଇଛି । ଓଡ଼ିଆ ଭାଷାରେ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଏଥର ମିଳିବ ପୁରସ୍କାର । କବିତା ସଂକଳନ “ଦୟାନଦୀ” ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ସେ ପାଇବେ । ମରର ପୁରସ୍କାର ସ୍ୱରୂପ ୧,୦୦,୦୦୦ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ “ଦୟାନଦୀ”୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା ।
ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡାଙ୍କ ଝିଅ ଗାୟତ୍ରୀବାଳା ପଣ୍ଡା ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ୧୯୭୭ ମସିହା ଅପ୍ରେଲ ୧୭ରେ ଜନ୍ମଗ୍ରହଣ କରିଥିଲେ । ସାଦେଇପୁର, ବାଲିକୁଦା ଓ କଟକରେ ପାଠ ପଢ଼ିଥିବା ଗାୟତ୍ରୀବାଳାଙ୍କ କଳାରେ ଆଗ୍ରହ ଥିବା ଦେଖି ତାଙ୍କ ବାପା ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାୟତ୍ରୀବାଳା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ଓ ଛାତ୍ରୀ ସଂସଦର ସଭାନେତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ପାଠାଗାର ବିଜ୍ଞାନରେ ସ୍ନାତକୋତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହାପରେ ସେ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଏବଂ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।
