ଆଜିଠୁ ୨ ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ସଭା ଓ ରୋଡ୍ ସୋ ମାଧ୍ୟମରେ କରିବେ ଭୋଟ ଭିକ୍ଷା
ନୂଆଦିଲ୍ଲୀ: ବିଜେପିର ମିଶନ ଦକ୍ଷିଣ ଭାରତ । କର୍ଣ୍ଣାଟକରେ ନିର୍ବାଚନ ପାଇଁ ଦୁନ୍ଦୁଭି ନାଦ ବାଜିଥିବା ବେଳେ ଆଜି ୨ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷମତାର ମହାଯୁଦ୍ଧରେ ବିଜୟ ନିଶ୍ଚିତ ପାଇଁ କର୍ମୀଙ୍କୁ କରିବେ ଉତ୍ସାହିତ । ଲଗାତାର ଦ୍ବିତୀୟ ଥର ଶାସନ କ୍ଷମତା ହାତେଇବାକୁ ଦେବେ ଗୁରୁମନ୍ତ୍ର ।
ଏଥିସହ ସଭା ଓ ରୋଡ୍ ସୋ କରି ସିଧା ଜନତାଙ୍କ ପାଖରେ ପହଞ୍ଚି କରିବେ ଭୋଟ ଭିକ୍ଷା । ପୁଣି ଥରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଲୋକଙ୍କୁ କରିବେ ସଚେତନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଜେପି କ୍ୟାମ୍ପେନକୁ ମିଳିବ ବୁଷ୍ଟ । ୨ ଦିନିଆ ଗସ୍ତରେ ୨ଟି ରୋଡ୍ ସୋ ଓ ୬ଟି ନିର୍ବାଚନୀ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଆଜି ବେଙ୍ଗାଳୁରରେ ୧୦ କିଲୋମିଟର ଯାଏ ରୋଡ୍ ସୋ କରିବେ ମୋଦି ।
୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ ଏହି ରୋଡ୍ ସୋ କରାଯିବ । ତେବେ ଗତ ଗୁଜରାଟ ନିର୍ବାଚନ ବେଳେ ଅହମ୍ମଦାବାଦ ରେ ୫୦ କିଲୋମିଟର ଯାଏ ରୋଡ ସୋ କରିଥିଲେ ମୋଦି । ଏହି ଗସ୍ତ ପୂର୍ବରୁ ଗତ ୨୧ ତାରିଖ ଦିନ ଭର୍ଚୁଆଲ ବୈଠକରେ ୫୦ଲକ୍ଷରୁ ଅଧିକ ବିଜେପି କର୍ମୀଙ୍କ ମନବଳ ବଢ଼ାଇଥିଲେ ପିଏମ ମୋଦି । ଆସନ୍ତା ମେ ୧୦ ରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ହେବାକୁ ଯାଉଛି ନିର୍ବାଚନ । ମେ ୧୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।
