ଆଜିଠୁ ୩ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ସାଢେ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
ନୂଆଦିଲ୍ଲୀ : ଆଜି ଠାରୁ ୩ ଦିନ ପାଇଁ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ସାଢେ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ତିନି ଦିନିଆ ଗସ୍ତ କାଳରେ ସେ ମେହଶଣା, ଭରୁଚ, ଆନନ୍ଦ, ଜାମନଗର, ରାଜକୋଟ ଓ ଅହମ୍ମଦାବାଦ ଗସ୍ତ କରିବେ ।
ପ୍ରଥମ ଦିନରେ ଶ୍ରୀ ମୋଦୀ ଉତର ଗୁଜରାଟର ମେହଶଣା ଠାରେ ୨ହଜାର ୮୯୦ କୋଟି ଟଙ୍କା ମୂଲ୍ୟର ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୫୧୧ କୋଟି ଟଙ୍କାରେ ନିର୍ମିତ ସାବରମତୀ ଜଗୁଦାଁ, ଗେଜ୍ କନ୍ଭର୍ସନ ଏବଂ ସିଏନ୍ଜି ସ୍ଥଳଭାଗ ସୁବିଧା କେନ୍ଦ୍ରର ଉଦ୍ଘାଟନ୍ ଅନ୍ତର୍ଭୁକ୍ତ ରହିଛି । ସେହିପରି ସୂର୍ଯ୍ୟମନ୍ଦିରର ଗାଁ ଭାବେ ଜଣାଶୁଣା ମୋଧେରା ଗାଁ ଦେଶର ପ୍ରଥମ ସୌରଶକ୍ତି ସଂପନ୍ନ ଗାଁ ଭାବେ ଘୋଷଣା ହେବ । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଧେରା ଗାଁକୁ ଦେଶର ପ୍ରଥମ ସୌରଶକ୍ତି ସଂପନ୍ନ ଗାଁ ଭାବେ ଘୋଷଣା କରିବେ । ଭାରତ ସରକାର ଓ ଗୁଜରାଟ ସରକାରଙ୍କ ମିଳିତ ଉଦ୍ୟମରେ ୮୦ କୋଟି ଟଙ୍କା ବିନିମୟରେ ସେହି ଗାଁରେ ସୌରପ୍ରକଳ୍ପ ସ୍ଥାପନ କରାଯାଇଛି । ଏହି ଯୋଜନା ଅଧୀନରେ ୧୩ଶହ ପରିବାରର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରାଯାଇଛି । ଶତକଡ଼ା ୬୦ରୁ ୧୦୦ ଭାଗ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ମହେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ ଏବଂ ବିଶ୍ୱପ୍ରସିଦ୍ଧ ମୋଧେରା ସୂର୍ଯ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରି ସୌରପ୍ରକଳ୍ପର ଶୁଭାରମ୍ଭ କରିବେ ।
ପ୍ରଧାନମନ୍ତ୍ରୀ ଗୁଜୁରାଟ ମେହସାନାର ମୋଧେରାରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ପୂଜା କରିବେ । ପରେ ସନ୍ଧ୍ୟା ୭ଟା ୩୦ରେ ସୂର୍ଯ୍ୟ ମନ୍ଦିର ଯିବେ । ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ ୧୦ ଅକ୍ଟୋବରରେ ବିଭିନ୍ନ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଅପରାହ୍ନ ୩ଟା ୧୫ରେରେ ଅହମ୍ମଦାବାଦରେ ମୋଦୀ ଶୈକ୍ଷଣିକ ସ୍କୁଲର ଉଦଘାଟନ କରିବେ । ଏହାପରେ ସନ୍ଧ୍ୟା ସାଢେ ୫ଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରର ଦିନ ୨ଟା ୧୫ରେ ସିଭିଲ ହସପିଟାଲ ଅସରୱା, ଅହମ୍ମଦାବାଦରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପରେ ସେଠାରୁ ସିଧାସଳଖ ମଧ୍ୟ ପ୍ରଦେଶ ଗସ୍ତ କରିବେ । ମଧ୍ୟ ପ୍ରଦେଶ ଉଜ୍ଜୟିନୀରେ ଶ୍ରୀ ମହାକାଳେଶ୍ବର ମନ୍ଦିର ଯିବେ । ଯେଉଁଠାରେ ସନ୍ଧ୍ୟା ପ୍ରାୟ ୫ଟା ରେ ଶ୍ରୀ ମହାକାଳେଶ୍ବରଙ୍କୁ ଦର୍ଶନ କରିବେ । ପରେ ସନ୍ଧ୍ୟା ୬ଟା ୩୦ରେ ଶ୍ରୀ ମହାକାଳ କରିଡରକୁ ଉଦଘାଟନ କରିବେ ।
