ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମ ବାର୍ଷିକୀରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିଛନ୍ତି । ସେ ତାଙ୍କ ଟୁଇଟରେ ଲେଖିଛନ୍ତି, ତାଙ୍କ ଜନ୍ମ ବାର୍ଷିକୀରେ ଅଟଳ ଜୀଙ୍କୁ କୋଟି କୋଟି ନମନ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜି ଖ୍ରୀଷ୍ଟମାସ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଜନ୍ମ ବାର୍ଷିକୀରେ ପଣ୍ଡିତ ମଦନ ମୋହନ ମାଲଭିଆଙ୍କୁ ମଧ୍ୟ ପ୍ରଣାମ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ଜନ୍ମ ବାର୍ଷିକୀରେ ଅଟଳ ଜୀଙ୍କୁ ପ୍ରଣାମ । ଜାତି ପାଇଁ ତାଙ୍କର ସମୃଦ୍ଧ ସେବା ଦ୍ୱାରା ଆମେ ଅନୁପ୍ରାଣିତ । ଭାରତକୁ ଶକ୍ତିଶାଳୀ ଏବଂ ବିକଶିତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ବିକାଶମୂଳକ ପଦକ୍ଷେପ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଭାବରେ ପ୍ରଭାବିତ କରିଥିଲା । ଏଥି ସହିତ ପଣ୍ଡିତ ମଦନ ମୋହନ ମାଲଭିଆଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ସାମାଜିକ ସଂସ୍କାରକ ମହାମଣି ପଣ୍ଡିତ ମଦନ ମୋହନ ମାଲଭିଆ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଓ ଅନେକ କେନ୍ଦ୍ରମନ୍ତ୍ରୀ ଶନିବାର ନୂଆଦିଲ୍ଲୀସ୍ଥିତ ତାଙ୍କ ସମାଧି ସଦୈବ ଅଟଳ ଠାରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧା ସୁମନ ଅର୍ପଣ କରି କହିଛନ୍ତି ଦେଶ ପ୍ରତି ବାଜପେୟୀଙ୍କ ସେବା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ । ସେ କହିଛନ୍ତି, ବାଜପେୟୀ ତାଙ୍କ ସାରା ଜୀବନ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମର୍ପଣ କରିଥିଲେ । ତାହାର ପ୍ରଭାବ କୋଟି କୋଟି ଭାରତୀୟ ଅନୁଭବ କରୁଛନ୍ତି । ସ୍ୱର୍ଗତ ବାଜପେୟୀ ଲୋକସଭାକୁ ୧୦ଥର ଏବଂ ରାଜ୍ୟସଭାକୁ ୨ ଥର ନିର୍ବାଚିତ ହୋଇଥିଲେ । ସେ ଜଣେ ବିଚକ୍ଷଣ ସାଂସଦ ଥିଲେ ଏବଂ ତାଙ୍କ ଉପରେ ଲୋକମାନଙ୍କର ଅତୁଟ ଭରସା ରହିଥିଲା । ପ୍ରଧାନମନ୍ତ୍ରୀ ଭାବରେ ଦେଶ ଗଠନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା ବେଳେ ତାଙ୍କ ସାହସିକ ପଦକ୍ଷେପ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥାକୁ ମଜୁବତ କରାଯାଇ ବିକାଶ କ୍ଷେତ୍ର ତ୍ୱରାନିତ ହୋଇପାରିଥିଲା ।
