ପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ଜରୁରୀ ସୂଚନା ! ଅନଲାଇନରେ କରନ୍ତୁ ଆକାଉଣ୍ଟ ଟ୍ରାନ୍ସଫର, ଜାଣନ୍ତୁ କ’ଣ କ’ଣ ହେବା ଜରୁରୀ
ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ଚାକିରୀ କରୁଥାନ୍ତି ତେବେ ଏହି ଖବର ଆପଣଙ୍କ ଜରୁରୀ । ବାସ୍ତବରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସମସ୍ତ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ଇପିଏଫଓ ଏକ ଟ୍ୱିଟ୍ କରି କହିଛି ଯେ ଆପଣ ଆପଣଙ୍କ ପୂର୍ବ କମ୍ପାନୀ ପ୍ରୋଭିଡେଣ୍ଟ୍ ପାଣ୍ଠି (ପିଏଫ)କୁ ଘରେ ବସି ବର୍ତ୍ତମାର ନିଯୁକ୍ତିଦାତା ଦ୍ୱାରା ଖୋଲାଯାଇଥିବା ନୂତନ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ ।
ଅବଶ୍ୟ, ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ) ର ପ୍ରବର୍ତ୍ତନ ପରଠାରୁ କର୍ମଚାରୀଙ୍କ ସମସ୍ତ ଆକାଉଣ୍ଟ ଗୋଟିଏ ସ୍ଥାନରେ ରହିଥାଏ, କିନ୍ତୁ ଟଙ୍କା ବିଭିନ୍ନ ଆକାଉଣ୍ଟରେ ରହିଥାଏ । ତେଣୁ ଏହା ଜରୁରୀ ଯେ ଆପଣ ପ୍ରଥମେ ଆପଣଙ୍କର ୟୁଏଏନକୁ ନୂତନ କମ୍ପାନୀ ସହିତ ସେୟାର କରନ୍ତୁ । ପରେ ପୁରୁଣା ଆକାଉଣ୍ଟର ଟଙ୍କାକୁ ଆପଣଙ୍କ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତୁ । ଏହି ପ୍ରକ୍ରିୟାକୁ ଅନଲାଇନ୍ ମାଧ୍ୟମରେ କରିବାକୁ, ଆପଣଙ୍କୁ କିଛି ସହଜ ଷ୍ଟେପ ଅନୁସରଣ କରିବାକୁ ପଡିବ…
କିପରି କରିବେ ପିଏଫ ଟଙ୍କାର ଟ୍ରାନ୍ସଫର :
ସର୍ବପ୍ରଥମେ ଇପିଏଫଓର ୟୁନିଫାଏଡ୍ ମେମ୍ବର ପୋର୍ଟାଲକୁ https://unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ । ଏଠାରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ) ଏବଂ ପାସୱାର୍ଡ ବ୍ୟବହାର କରି ଲଗଇନ୍ କରନ୍ତୁ । ଲଗଇନ୍ ପରେ, ଅନଲାଇନ୍ ସର୍ଭିସକୁ ଯାଆନ୍ତୁ ଏବଂ ମେମ୍ବର-ୱାନ ଇପିଏଫ ଆକାଉଣ୍ଟ ଟ୍ରାନ୍ସଫର ରିକୁଏସ୍ଟ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏଥିରେ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ଏବଂ ପିଏଫ ଖାତା ଯାଞ୍ଚ କରିବାକୁ ପଡିବ । ଆପଣଙ୍କୁ ବର୍ତ୍ତମାନର ନିଯୁକ୍ତିଦାତା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ପଡିବ । ଏହା ପରେ ଗେଟ ଡ଼ିଟେଲସ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ପୂର୍ବ ନିଯୁକ୍ତିର ପିଏଫ ଆକାଉଣ୍ଟ୍ ବିବରଣୀ ସ୍କ୍ରିନରେ ଦେଖାଯିବ । ବର୍ତ୍ତମାନ ଆପଣଙ୍କର ଅନଲାଇନ୍ କ୍ଲେମ ଫର୍ମକୁ ପ୍ରମାଣ କରିବାକୁ ପୂର୍ବ ନିଯୁକ୍ତିଦାତା ଏବଂ ବର୍ତ୍ତମାନର ନିଯୁକ୍ତିଦାତା ମଧ୍ୟରେ ଗୋଟିଏ ବାଛିବାକୁ ଆପଣଙ୍କ ପାଖରେ ବିକଳ୍ପ ରହିବ । ଶେଷରେ ଗେଟ ଓଟିପି ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଓଟିପି ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ । ତା’ପରେ ସେହି ଓଟିପି ଏଣ୍ଟ୍ରି କରନ୍ତୁ ଏବଂ ସବମିଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
କ’ଣ କ’ଣ ହେବା ଜରୁରୀ:
ପଞ୍ଜୀକୃତ ମୋବାଇଲ୍ ନମ୍ବର ନିଶ୍ଚିତ ଭାବରେ ଆକ୍ଟିଭ ହେବା ଆବଶ୍ୟକ କାରଣ ଓଟିପି ଏହି ନମ୍ବରକୁ ପଠାଯିବ । କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଧାର ନମ୍ବର ୟୁଏଏନ ସହିତ ସଂଯୁକ୍ତ ହେବା ଉଚିତ । ପୂର୍ବ ନିଯୁକ୍ତିର ପ୍ରସ୍ଥାନ ତାରିଖ ମନେ ରଖିବା ଉଚିତ୍ । ଯଦି ଜାଣି ନାହାଁନ୍ତି, ପ୍ରଥମେ ତାହା ମନେରଖନ୍ତୁ । ଇ-କେୱାଇସି ନିଯୁକ୍ତିଦାତା ଦ୍ୱାରା ପୂର୍ବରୁ ଅନୁମୋଦନ ହେବା ଉଚିତ୍ । ପୂର୍ବ ମେମ୍ବର ଆଇଡି ପାଇଁ କେବଳ ଗୋଟିଏ ଟ୍ରାନ୍ସଫର ଅନୁରୋଧ ଗ୍ରହଣ କରାଯିବ । ଆବେଦନ କରିବା ପୂର୍ବରୁ, ସଦସ୍ୟ ପ୍ରୋଫାଇଲ୍ ଭିତରେ ଦିଆଯାଇଥିବା ସମସ୍ତ ବ୍ୟକ୍ତିଗତ ସୂଚନା ଯାଞ୍ଚ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ।
