ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ସଫଳତା : ବିଶ୍ୱର ପ୍ରଥମ ନେତା ଭାବେ ୟୁଟ୍ୟୁବରେ ୧ କୋଟି ସବସ୍କ୍ରାଇବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ସଫଳତା । ୟୁଟ୍ୟୁବରେ ମୋଦିଙ୍କ ସବସ୍କ୍ରାଇବର ୧ କୋଟି ପହଂଚି ଯାଇଛି । ୧ କୋଟି ସବସ୍କ୍ରାଇବର ହାସଲ କରିବାରେ ନରେନ୍ଦ୍ର ମୋଦୀ ବିଶ୍ୱର ପ୍ରଥମ ନେତାର ମାନ୍ୟତା ପାଇଛନ୍ତି । ମୋଦୀଙ୍କ ପରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବଲସୋନାରୋଙ୍କ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ୩୬ ଲକ୍ଷ ସବସ୍କ୍ରାଇବର୍ ଅଛନ୍ତି । ମେକ୍ସିକର ରାଷ୍ଟ୍ରପତି ଆନ୍ଦ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡର୍ ୩୦ ଲକ୍ଷ ୭ ହଜାରରୁ ଅଧିକ ସବସ୍କ୍ରାଇବର ସହିତ ତୃତୀୟ ସ୍ଥାନରେ ଅଛନ୍ତି । ମୋଦିଙ୍କ ୟୁଟ୍ୟବ ଚ୍ୟାନେଲର ନାମ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦୀ ୨୬ ଜୁଲାଇ ୨୦୦୭ରେ ୟୁଟ୍ୟବ ଚ୍ୟାନେଲ ଖୋଲିଥିଲେ । ତେବେ ତାଙ୍କ ୟୁଟ୍ୟବ ଚ୍ୟାନେଲରେ ସେ ପ୍ରଥମ ଭିଡିଓ ୧୮ ମାର୍ଚ୍ଚ ୨୦୧୧ରେ ଅପଲୋଡ୍ କରିଥିଲେ । ଏହି ଭିଡିଓ ଗୁଜରାଟର ୨୦୧୧-୧୨ବଜେଟର ଥିଲା । ଏହାପରେ ତାଙ୍କ ୟୁଟ୍ୟବ ଚ୍ୟାନେଲରେ କ୍ରମାଗତ ଭିଡିଓ ଅପଲୋଡ ହେଉଛି । ମୋଦୀଙ୍କ ଚ୍ୟାନେଲରେ ସବୁଠାରୁ ଅଧିକ ଥର ଏକ ୧୪ ସେକେଣ୍ଡର ଭିଡିଓକୁ ଦେଖା ହୋଇଛି । ଏହି ୧୪ ସେକେଣ୍ଡର ଭିଡିଓରେ ଜଣେ ଦିବ୍ୟାଙ୍ଗ ଯୁବକ ପ୍ରଥମେ ମୋଦୀଙ୍କ ସହିତ କଥା ହେଉଛି ଓ ପରେ ତାଙ୍କ ପାଦସ୍ପର୍ଶ କରୁଛି । ଏହି ଭିଡିଓ ବାରଣାସୀର ଅଟେ । ଏହାକୁ ୧୯ ଫେବୃଆରି ୨୦୧୯ ରେ ଅପଲୋଡ କରାଯାଇଥିଲା । ଏହି ଭିଡିଓକୁ ୭ କୋଟିରୁ ଅଧିକ ଲୋକ ଦେଖିଛନ୍ତି ଓ ୧୧ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଭିଡିଓଗୁଡିକୁ ମୋଟ ୧୬୪ କୋଟି ୬୦ ଲକ୍ଷରୁ ଅଧିକ ଥର ଦେଖା ହୋଇଛି । ମୋଦୀଙ୍କ ଚ୍ୟାନେଲରୁ ପିଏମଓ ଇଣ୍ଡିଆ, ଭାରତୀୟ ଜନତା ପାର୍ଟି, ଯୋଗ ୱିଥ୍ ମୋଦି, ଏଗ୍ଜାମ୍ ୱାରିଅର୍ସ୍ ମନ୍ତ୍ରସ୍ ୟୁଟ୍ୟବ ଚ୍ୟାନେଲଗୁଡିକର ବିଜ୍ଞାପନ ମଧ୍ୟ କରାଯାଇଥାଏ । ସରକାରଙ୍କ ସହିତ ଜଡିତ ସ୍କିମ୍, ଲାଇଭ୍ ଇଭେଂଟକୁ ମଧ୍ୟ ମୋଦିଙ୍କ ଚ୍ୟାନେଲରେ ଦେଖା ଯାଇଥାଏ ।
ଭାରତର ନେତାଙ୍କ ମଧ୍ୟରେ ମୋଦୀଙ୍କ ପରେ ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ସର୍ବାଧିକ ସବସ୍କ୍ରାଇବର ଅଛନ୍ତି । ରାହୁଲ ଗାନ୍ଧିଙ୍କ ଚ୍ୟାନେଲରେ ୫ ଲକ୍ଷ ୨୫ ହଜାରରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ୪ ଲକ୍ଷ ୩୯ ହଜାରରୁ ଅଧିକ ସବସ୍କ୍ରାଇବର ସହିତ ଶଶି ଥରୁର ତୃତୀୟ ସ୍ଥାନରେ ଅଛନ୍ତି ।
