ଲୋକମାନଙ୍କୁ ଦ୍ରୁତ ନ୍ୟାୟ ପ୍ରଦାନ ଲାଗି ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀ
ଆଇନ୍ ମନ୍ତ୍ରୀ ଓ ସଚିବ ମାନଙ୍କ ସର୍ବ ଭାରତୀୟ ସମ୍ମିଳନୀ ଉଦ୍ଘାଟନ
ନୂଆଦିଲ୍ଲୀ : ଲୋକମାନଙ୍କୁ ଦ୍ରୁତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟସ୍ତରରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାକୁ ଉତ୍ସାହିତ କରିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମାମଲା ଗୁଡ଼ିକର ଶୀଘ୍ର ଫଇସାଲାରେ ସେ ଲୋକ ଅଦାଲତ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇନ୍ ମନ୍ତ୍ରୀ ଓ ସଚିବ ମାନଙ୍କ ସର୍ବ ଭାରତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଉଦ୍ବୋଧନ ଦେଇ ଏହା କହିଛନ୍ତି । ଏହି ସମ୍ମିଳନୀ ଗୁଜରାଟର କେବାଡିଆସ୍ଥିତ ଏକତା ନଗରଠାରେ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ଏଥିରେ ଭର୍ଚୁଆଲ ମାଧ୍ୟମରେ ଉଦ୍ବୋଧନ ଦେଇଛନ୍ତି ।
ରୀ ମୋଦି କହିଛନ୍ତି ରାଜ୍ୟଗୁଡ଼ିକ ସେମାନଙ୍କର ଆଇନ୍ର ସମୀକ୍ଷା କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ପୁରାତନ ଆଇନ୍ଗୁଡ଼ିକୁ ବିଲୋପ କରିବା ବର୍ତମାନ ଜରୁରୀ ହୋଇପଡିଛି । ସେ କହିଛନ୍ତି କେନ୍ଦ୍ର ସରକାର ଦେଢ଼ହଜାରରୁ ଅଧିକ ପୁରାତନ ଆଇନ୍କୁ ବିଲୋପ କରିଛନ୍ତି ଓ ୩୨ହଜାରରୁ ଅଧିକ ଆଇନ୍କୁ କାଟ୍ଛାଂଟ୍ କରିଛନ୍ତି । ଏହାଦ୍ୱାରା ବହୁ ନିୟମ ସରଳ ହୋଇପାରିଛି । ହାଇକୋର୍ଟ ମୁଖ୍ୟ ବିଚାରପତି ମାନଙ୍କ ମିଳିତ ବୈଠକ ବିଷୟରେ ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ସେହି ବୈଠକରେ ମୁଖ୍ୟବିଚାରପତି ମାନଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିଲେ । ରାଜ୍ୟସରକାରମାନେ ବିଚାରାଧୀନ କଏଦୀମାନଙ୍କ ପ୍ରତି ମାନବୀୟ ଆଭିମୁଖ୍ୟ ପୋଷଣ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ । ସେ କହିଥିଲେ ଏକ ସଦ୍ଭାବନା ମୂଳକ ସମାଜ ଓ ଉନ୍ନତ ଦେଶ ଗଠନ ପାଇଁ ସମ୍ବେଦନଶୀଳ ନ୍ୟାୟ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ । ସହଜରେ ନ୍ୟାୟପ୍ରଦାନ ପ୍ରତି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନ୍ୟାୟପ୍ରଦାନ ପ୍ରଣାଳୀରେ ମାତୃଭାଷାର ବ୍ୟବହାର ବର୍ତମାନ ସବୁଠୁ ଅଧିକ ପ୍ରାସଙ୍ଗିକ ହୋଇପଡିଛି । ସେ କହିଛନ୍ତି ନ୍ୟାୟପ୍ରଦାନର ଭାଷା ଏ କ୍ଷେତ୍ରରେ ଏକ ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ । ପ୍ରଧାନମନ୍ତ୍ରୀ ଇ-କୋର୍ଟ ମିଶନ, ମାମଲା ଗୁଡ଼ିକର ଇ-ଫାଇଲିଙ୍ଗ, ଭର୍ଚୁଆଲ ଶୁଣାଣି ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ପଡିରହିଥିବା ମାମଲା ଗୁଡ଼ିକର ଶୀଘ୍ର ଫଇସଲା ହୋଇପାରିବ ।
ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତମ ସମନ୍ୱୟ ରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ନ୍ୟାୟ ପ୍ରଦାନରେ ଘଟୁଥିବା ବିଳମ୍ବକୁ ହ୍ରାସ କରାଯାଇପାରିବ । ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟ ଏହି ସମ୍ମିଳନୀର ଆୟୋଜନ କରିଛି । ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ନୀତି ନିର୍ଦ୍ଧାରଣକାରୀ ମାନଙ୍କ ପାଇଁ ଏକ ଉତମ ମଂଚ ଯୋଗାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକର ଆଇନ୍ ମନ୍ତ୍ରୀ ଏବଂ ନ୍ୟାୟିକ ବିଭାଗ ସଚିବ ମାନେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକ ପରସ୍ପର ମଧ୍ୟରେ ମତର ଆଦାନପ୍ରଦାନ କରିପାରିବେ ଓ ନିଜନିଜର ନ୍ୟାୟିକ ବ୍ୟବସ୍ଥା ବିଷୟରେ ଆଲୋଚନା କରିପାରିବେ ।
