ବିଶ୍ବର ସବୁଠୁ ଲମ୍ବା ରିଭର୍ କ୍ରୁଜ୍ ‘ଏମଭି ଗଙ୍ଗା ବିଳାସ’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
କ୍ରୁଜରେ ରହିଛି ୫ ତାରକା ହୋଟେଲ୍ ଭଳି ସୁବିଧା
ବାରାଣସୀ: ବିଶ୍ବର ସବୁଠୁ ଲମ୍ବା ରିଭର୍ କ୍ରୁଜ୍ ‘ଏମଭି ଗଙ୍ଗା ବିଳାସ୍ କ୍ରୁଜ୍’କୁ ଲୋକାର୍ପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ବାରାଣସୀରୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହାକୁ ସବୁଜ ପତାକା ଦେଖାଇବା ପରେ ଏହି କ୍ରୁଜ୍ ୩୧ ଯାତ୍ରୀଙ୍କ ସହ ବାରଣାସୀର ରବିଦାସ ଘାଟରୁ ଯାତ୍ରା ଆରମ୍ଭ କରିଛି। ସବୁ ଯାତ୍ରୀ ୫୧ ଦିନର ଯାତ୍ରାରେ ବାହାରିଛନ୍ତି। ଏହି ସମୟରେ କ୍ରୁଜ୍ ୫୦ ସ୍ଥାନ ଦେଇ ଗସ୍ତ କରିବ। ଏଥିରେ ପର୍ଯ୍ୟଟକଙ୍କୁ କେବଳ ଗଙ୍ଗା କୂଳକୁ ଉପଭୋଗ କରିବେନି ବରଂ ଏଠାକାର ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିବ। ଏହି କ୍ରୁଜ୍ ୩୨୦୦ କିଲୋମିଟର ଯାତ୍ରା କରିବ। ଏହି ୫୧ ଦିନ ଯାତ୍ରା ପ୍ୟାକେଜର ମୂଲ୍ୟ ୧୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। କୋଲକାତା ସ୍ଥିତ ‘ଅନ୍ତରା ଲଗଜରି ରିଭର୍ କ୍ରୁଜ୍’ ନାମକ ଏକ କମ୍ପାନୀ ହେଉଛି ଗଙ୍ଗା ବିଳାସ କ୍ରୁଜର ନିର୍ମାତା । ଏହାର ପ୍ରତିଷ୍ଠାତା ତଥା ସିଇଓ ରାଜ ସିଂଙ୍କ କହିବାନୁସାରେ, ଲଞ୍ଚ୍ ହେବା ପୂର୍ବରୁ ହିଁ ଏହି କ୍ରୁଜ୍ ପୂରା ବୁକ୍ ହୋଇସାରିଥିଲା ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ କହିଛନ୍ତି ଯେ ଆଜି ଦୁନିଆର ନଦୀରେ କ୍ରୁଜ୍ର ଇତିହାସରେ ଲେଖାଯିବ କାରଣ ଏହା ଦୁନିଆାର ସୁବଠୁ ଲମ୍ବା ଯାତ୍ରା ହେବ। ଏହା ୟୁପି, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବାଙ୍ଗଲାଦେଶ ହୋଇ ଡିବ୍ରୂଗଡ଼ ପର୍ଯ୍ୟନ୍ତ ଯିବ। ଏହି ଯାତ୍ରା ଦ୍ବାରା କେବଳ ପର୍ଯ୍ୟଟନ ନୁହେଁ ବରଂ ବ୍ୟବସାୟ ରାସ୍ତା ଖୋଲିବ। ଗଙ୍ଗା ବିଳାସ କ୍ରୁଜ୍ରେ ଜିମ୍, ସ୍ପା ସେଣ୍ଟର, ଲେକ୍ଚର ହାଉସ, ଲାଇବ୍ରେରୀ ଅଛି। ୪୦ କ୍ରୁ ମେମ୍ବର ମଧ୍ୟ କ୍ରୁଜ୍ରେ ରହିଛନ୍ତି। ଗଙ୍ଗା ବିଲାସ କ୍ରୁଜ୍ରେ ଯାତ୍ରୀଙ୍କୁ ୫ ତାରକା ହୋଟେଲ୍ ସୁବିଧା ଦିଆଯିବ। କ୍ରୁଜ୍ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଦିନକୁ ୨୫ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ।

ଏହି ବିଳାସପୂର୍ଣ୍ଣ କ୍ରୁଜ୍ ଏକ ଭାସମାନ ପଞ୍ଚ ତାରକା ହୋଟେଲ ସଦୃଶ । କ୍ରୁଜରେ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ହେବ । ଏଥିରେ ଓପନ ସ୍ପେସ୍, ବାଲକୋନି, ୪୦ଟି ସିଟ୍ ରେଷ୍ଟୁରାଣ୍ଟ ରୁମ୍ ଏବଂ ଷ୍ଟଡି ରୁମ୍, ଡାଇନିଂ ରୁମ୍, ମନୋରଞ୍ଜନ କକ୍ଷ, ସନ୍ ଡେକ୍, ଲାଉଞ୍ଜ ବାର୍, ସ୍ପା ଏବଂ ଫିଟନେସ୍ ସେଣ୍ଟର ମଧ୍ୟ ରହିଛି । ସେହିପରି ଗଙ୍ଗା ବିଳାସ ରିଭର୍ କ୍ରୁଜର ଲଞ୍ଚ୍ ୨୦୨୦ରେ ହେବାର ଥିଲା, କିନ୍ତୁ କୋଭିଡ୍ ଯୋଗୁଁ ଏହା ସ୍ଥଗିତ ରହିଥିଲା । ଶେଷରେ ଏହାର ପ୍ରତୀକ୍ଷିତ ଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଯାତ୍ରାରେ ଗଙ୍ଗା ବିଳାସ କ୍ରୁଜରେ ୩୨ ପର୍ଯ୍ୟଟକ ଯିବେ । ଏହି ସବୁ ପର୍ଯ୍ୟଟକ ସ୍ୱିଜରଲ୍ୟାଣ୍ଡରୁ ଆସିଛନ୍ତି । ଭାରତରେ ନିର୍ମିତ ଏହି ରିଭର କ୍ରୁଜର ଲମ୍ବ ୬୨ ମିଟର ଏବଂ ଚଉଡ଼ା ୧୨ ମିଟର । କ୍ରୁଜରେ ତିନୋଟି ଡେକ୍ ଏବଂ ୧୮ଟି ସୁଟ୍ ଅଛି । ପ୍ରତ୍ୟେକ ସୁଟ୍ ର ଆକାର ୩୬୦-୩୮୦ ବର୍ଗଫୁଟ।
