ସେମିକନ ଇଣ୍ଡିଆ ସମ୍ମିଳନୀ-୨୦୨୨କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ବୈଶ୍ୱିକ ସେମିକଣ୍ଡକ୍ଟର ଯୋଗାଣ ବ୍ୟବସ୍ଥାରେ ଜଣେ ପ୍ରମୁଖ ଅଂଶୀଦାର ହୋଇ ଭାରତକୁ ପ୍ରତିଷ୍ଠିତ କରାଇବା ହେଉଛି ଆମର ସମ୍ମିଳିତ ଦାୟୀତ୍ୱ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦଘାଟନ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନୀ ଅଧିବେଶନରେ ତାଙ୍କ ମନ୍ତବ୍ୟ ରଖିଛନ୍ତି । କେନ୍ଦ୍ର ମନ୍ତ୍ରୀ, ସେମି କଣ୍ଡକ୍ଟର ଶିଳ୍ପ ସମୂହ, ପୁଞ୍ଜି ନିବେଶକ, ବୁଦ୍ଧିଜୀବି ଓ କୂଟନୀତିଜ୍ଞ ଗଣ ଏହି ଅବସରରେ ଉପସ୍ଥିତ ଥିଲେ । ଆରମ୍ଭରୁ ପ୍ରଧାନମନ୍ତ୍ରୀ ଭାରତରେ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହାକୁ ସ୍ୱାଗତ କରିବା ସହ ଖୁସି ପ୍ରକଟ କରିଥିଲେ । ଆଜିର ବିଶ୍ୱରେ ସେମି କଣ୍ଡକ୍ଟରର ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ଥିବା ଦର୍ଶାଇ ସେ କହିଛନ୍ତି ଯେ “ବୈଶ୍ୱିକ ସେମି କଣ୍ଡକ୍ଟର ଯୋଗାଣ ବ୍ୟବସ୍ଥାରେ ଏକ ପ୍ରମୁଖ ଅଂଶୀଦାର ଭାବେ ଭାରତକୁ ଛିଡା କରାଇବା ହେଉଛି ଆମ ସମସ୍ତଙ୍କର ଦାୟୀତ୍ୱ । ହାଇଟେକ, ଉଚ୍ଚ ଗୁଣାତ୍ମକ ମାନ ଓ ଉଚ୍ଚ ନିର୍ଭରଶୀଳତା ନୀତି ନେଇ ଆମକୁ ଏ ଦିଗରେ କାର୍ଯ୍ୟ କରିବାକୁ ପଡିବ ।”ସେମି କଣ୍ଡକ୍ଟର ପ୍ରଯୁକ୍ତିରେ ଭାରତ ଏକ ପୁଞ୍ଜିନିବେଶ ଲକ୍ଷ୍ୟ ସ୍ଥଳ ହେବା ଲାଗି ପ୍ରଧାନମନ୍ତ୍ରୀ ଛଅଟି ପ୍ରମୁଖ କାରଣ ଦର୍ଶାଇଥିଲେ ।
ପ୍ରଥମ ଭାରତ ୧.୩ ବିଲିୟନ ଭାରତୀୟଙ୍କୁ ଯୋଡିବା ନିମନ୍ତେ ଏକ ଡିଜିଟାଲ ଭିଲିଭୂମି ପ୍ରସ୍ତୁତ କରିଛି । ନିକଟରେ ଭାରତ ଆର୍ôଥକ ଅନ୍ତର୍ଭୁକ୍ତିକରଣ, ବ୍ୟାଙ୍କିଂ ଏବଂ ଡିଜିଟାଲ ନେଣଦେଣ ବିପ୍ଳବ କ୍ଷେତ୍ରରେ କରିଥିବା ଅଗ୍ରଗତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ସରକାର ପରିଚାଳନାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଜନ କଲ୍ୟାଣରୁ ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣ ପର୍ଯ୍ୟନ୍ତ ସବୁଆଡେ ଜୀବନମାନ ପରିବର୍ତନ ନିମନ୍ତେ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛୁ ।” ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଛଅ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ସହ ଯୋଡିବା ୫ଜି, ଆଇଉଟି ଏବଂ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ଦିଗରେ ସାମର୍ଥ ସୃଷ୍ଟିକରି ଭାରତ ପରବର୍ତୀ ପ୍ରଯୁକ୍ତି ବିପ୍ଳବ ନିମନ୍ତେ ପଥ ପରିଷ୍କାର କରୁଛି । ତୃତୀୟତଃ ବିଶ୍ୱର ଦୃତ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ ବାତାବରଣ ଯୋଗୁ ଭାରତ ଏକ ମଜଭୁତ ଆର୍ôଥକ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଛି । ଭାରତର ନିଜସ୍ୱ ସେମି କଣ୍ଡକ୍ଟର ଆବଶ୍ୟକତା ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ପାର କରିବା ସମ୍ଭାବନା ଥିବାବେଳେ ୨୦୩୦ ସୁଦ୍ଧା ଏହା ୧୧୦ ବିଲିୟନ ଡଲାର ପାର କରିବା ଅନୁମାନ କାରାଯାଉଛି । ଚତୁର୍ଥରେ ଭାରତର ବ୍ୟବସାୟ ପଥ ସୁଗମ କରିବା ପାଇଁ ଅନେକଗୁଡିଏ ସଂସ୍କାର ଅଣାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୫୦୦୦ ମୂଳ ଦଲିଲ ଉଚ୍ଛେଦ, ଲାଇସେନ୍ସର ସ୍ୱୟଂ ନବୀକରଣ, ଡିଜିଟାଇଜେସନ ଯୋଗୁ କାର୍ଯ୍ୟରେ ସ୍ୱଚ୍ଛତା ଓ ତ୍ୱରାନ୍ୱିତ ହେବା ତଥା ବିଶ୍ୱର ଏକ ଅନୁକୂଳ ଟିକସ ବ୍ୟବସ୍ଥା କରାଯାଇଛି ।
ପଞ୍ଚମରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଆଖି ଆଗରେ ରଖି ଯୁବ ଭାରତୀୟଙ୍କୁ କୁଶଳୀ ଓ ତାଲିମଯୁକ୍ତ କରିବା ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ କରାଯାଇଛି । ଆମର ଏକ ଅସାଧାରଣ ସେମି କଣ୍ଡକ୍ଟର ପରିପାଟୀ ମେଧା ପୁଲ ରହିଛି ଯେଉଁଥିରୁ ବିଶ୍ୱର ଶତକଡା କୋଡିଏ ଭାଗ ସେମି କଣ୍ଡକ୍ଟର ଡିଜାଇନ ଇଞ୍ଜିନିୟର ବାହାରୁଛନ୍ତି । ବିଶ୍ୱର ପ୍ରାୟ ସର୍ବୋଚ୍ଚ ୨୫ଟି ସେମି କଣ୍ଡକ୍ଟର ଡିଜାଇନ କମ୍ପାନୀଙ୍କ ଗବେଷଣା ଓ ପରିପାଟୀ କେନ୍ଦ୍ର ଆମ ଦେଶରେ ରହିଛି ବୋଲି ସେ କହିଥିଲେ । ଷଷ୍ଠରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନିଜର ନିର୍ମାଣ କ୍ଷେତ୍ରରେ ଅବସ୍ଥାନ୍ତର ନିମନ୍ତେ ଅନେକ ପଦକ୍ଷେପ ନେଇଛି । ଯେତେବେଳେ ସମଗ୍ର ମାନବ ସମାଜ ଶତାବ୍ଦୀର ଏହି ବୈଶ୍ୱିକ ମହାମାରୀର ମୁକାବିଲା କରୁଛି, ଭାରତ ଆମର ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ଘଟାଇବା ସହ ଅର୍ଥନୀତିର ମଧ୍ୟ ବିକାଶ ଘଟାଉଛି । ପ୍ରଧାନମନ୍ତ୍ରୀ ଉତ୍ପାଦନ ଭିତିକ ପ୍ରୋତ୍ସାହନ ଯୋଜନା ଯୋଗୁଁ ୧୪ଟି ପ୍ରମୁଖ କ୍ଷେତ୍ରରେ ୨୬ ବିଲିୟନ ଡଲାରରୁ ଅଧିକ ଅର୍ଥ ପ୍ରୋତ୍ସାହନ ବାବଦ ଦିଆଯାଇଛି ବୋଲି କହିଥିଲେ ।
ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଇଲେକଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ରେକର୍ଡ ପରିମାଣ ଅଭିବୃଦ୍ଧି ଘଟିଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ ସମବେତ ଜନତାଙ୍କୁ ଭାରତ ନିକଟରେ ଘୋଷଣା କରିଥିବା ସେମିକନ ଭାରତ ଯୋଜନା ଅଧୀନରେ ୧୦ ବିଲିୟନ ଡଲାର ବ୍ୟୟବରାଦ କରିଥିବା ସୂଚନା ଦେଇଥିଲେ । ଏହି ଯୋଜନା ଅଧୀନରେ ସେମି କଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜି ଲଗାଇବା କମ୍ପାନୀଙ୍କୁ ଆର୍ôଥକ ସହାୟତା ପ୍ରଦାନ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ସରକାରୀ ସହାୟତାର ଆବଶ୍ୟକତାକୁ ସ୍ୱୀକାର କରିବା ସହ ବ୍ୟବସାୟ ନିମନ୍ତେ ସରକାର ଅନୁକୂଳ ବାତାବରଣ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯେତବେଳେ କଳ କାରଖାନା କଠିନ ପରିଶ୍ରମୀ କରନ୍ତି, ସରକାର ନିଶ୍ଚିତ ଭାବେ ତାଠାରୁ ଅଧିକ କଠିନ ପରିଶ୍ରମ କରିବା ଦରକାର ବୋଲି ସେ କହିଥିଲେ । ବିଶ୍ୱରେ ଏକ ନୂତନ ବ୍ୟବସ୍ଥା ମୁଣ୍ଡଟେକି ଉଠୁଥିବା ବେଳେ, ଏଥିରୁ ସୁଯୋଗ ନେବାପାଇଁ ପ୍ରଧାନମନ୍ତ୍ରୀ କହିଥିଲେ “ଆମେ ଗତ କିଛି ବର୍ଷ ଧରି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମେ କଠିନ ପରିଶ୍ରମ କରୁଛୁ । ଭାରତର ପ୍ରଯୁକ୍ତି ଓ ରିସ୍କ ନେବାପାଇଁ ଉନ୍ମାଦନା ରହିଛି । ଏକ ସମର୍ଥନମୂଳକ ନୀତିଗତ ବାତାବରଣ ମଧ୍ୟରେ ଆମେ ଆପଣଙ୍କ ସମସ୍ୟା ମୁକାବିଲା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ । ଆମେ ପ୍ରଦର୍ଶନ କରିଛୁ ଯେ, ଭାରତ ଅର୍ଥ ବ୍ୟବସାୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
