କେଦାରନାଥରେ ପ୍ରଧାନମନ୍ତ୍ରୀ : ପୂଜାର୍ଚ୍ଚନା ସହ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଏବଂ ସମାଧି ଉନ୍ମୋଚନ
କେଦାରନାଥ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ଡେରାଡୁନ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଉପରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ (ଅବସରପ୍ରାପ୍ତ) ସ୍ୱାଗତ କରିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିଥିଲେ । ପୀଠରେ ପହଞ୍ଚି ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ । ସେହିପରି ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ୧୨ ଫୁଟ ଉଚ୍ଚତାର ପ୍ରତିମା ଏବଂ ସମାଧିକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ପ୍ରତିମାର ଓଜନ ୩୫ ଟନ୍ ଏବଂ ୨୦୧୯ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ଥଳ ଏବଂ ଚାରି ଶଙ୍କରାଚାର୍ଯ୍ୟଙ୍କ ମଠ ସହିତ ଆଦି ଶଙ୍କାରାଚାର୍ଯ୍ୟଙ୍କ ଜନ୍ମସ୍ଥଳ ଏବଂ ଦେଶର ବିଭିନ୍ନ ପ୍ରତିଷ୍ଠିତ ଦେବାଳୟଗୁଡିକରେ ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କା ବ୍ୟୟରେ କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଆକାଂକ୍ଷିତ ପ୍ରକଳ୍ପ ବୋଲି କୁହାଯାଉଛି ଏବଂ ପ୍ରଧାନମନ୍ତ୍ରୀ ନିଜେ ସମୟାନ୍ତରରେ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଏହି ଗସ୍ତ ଅବସରରେ ଅଳକାନନ୍ଦା ନଦୀ ଉପରେ ନିର୍ମିତ ଏକ ସେତକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ପରିଦର୍ଶନ ସମୟରେ ସରସ୍ୱତୀ ଆସ୍ଥାପଥ କାର୍ଯ୍ୟ ସମୀକ୍ଷା କରିବେ। ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ଓ ବହୁ ମୌଳିକ ଢ଼ାଞ୍ଚା ପ୍ରକଳ୍ପର ଉଦ୍ଘାଟନ କରିବେ। ସେହି ପ୍ରକଳ୍ପଗୁଡ଼ିକ ବାବଦରେ ୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୧୮୦ କୋଟି ଟଙ୍କା ସମ୍ବଳିତ ବିଭିନ୍ନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଗୁଡ଼ିକ ମଧ୍ୟରେ ସଙ୍ଗମ ଘାଟର ପୁନର୍ବିକାଶ, ପ୍ରାଥମିକ ସହାୟତା ଓ ପର୍ଯ୍ୟଟନ ସୁବିଧା କେନ୍ଦ୍ର, ପ୍ରଶାସନିକ କାର୍ଯ୍ୟାଳୟ ଓ ହସ୍ପିଟାଲ, ଦୁଇଟି ଅତିଥିଶାଳା, ଥାନା, କମାଣ୍ଡୋ ଓ କଣ୍ଟ୍ରୋଲ ସେଣ୍ଟର, ମନ୍ଦାକିନୀ ଆସ୍ଥାପଥ ପ୍ରଭୃତି ରହିଛି। ଏ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି। ସୂଚନା ଯେ, ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କର କେଦାରନାଥକୁ ଏହା ପଞ୍ଚମ ଥର ଗସ୍ତ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଅନେକ ଥର କେଦାରନାଥ ଆସି ପୂଜାର୍ଚ୍ଚନା କରିଛନ୍ତି ।


