କରୋନା ବିପଦ ଟଳି ନାହିଁ, ସତର୍କ ରହିବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ
କରୋନା ସ୍ଥିତିକୁ ନେଇ ମୁଖମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ
ନୂଆଦିଲ୍ଲୀ : ପୁଣି ଧିରେ ଧିରେ ଦେଶରେ ବୃଦ୍ଧି ହେଉଛି କରୋନା ସଂକ୍ରମଣ । କରୋନାର ବୃଦ୍ଧି ପାଉଥିବା ମାମଲାକୁ ନଜରରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କରୋନା ନିୟନ୍ତ୍ରଣରେ ରଖିଛୁ । ମାତ୍ର କରୋନା ବିପଦ ଏଯାଏଁ ଟଳି ନାହିଁ । ଓମିକ୍ରନ ଓ ଏହାର ଉପପ୍ରକରଣ କୌଣସି ପ୍ରକାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି । ଯାହାକି ୟୁରୋପ ଦେଶରେ ଦେଖାଯାଇଛି । ଗତ କିଛି ମାସରେ ଏହି ପ୍ରକରଣ ମାମଲା ବୃଦ୍ଧି ପାଇଛି । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପଡ଼ିବ । ତୃତୀୟ ଲହର ବେଳେ ଦୈନିକ ୩ ଲକ୍ଷ ମାମଲା ସାମ୍ନାକୁ ଆସୁଥିଲା । ସେହି ସମୟରେ ସବୁ ରାଜ୍ୟ ଏହାର ସଫଳତାର ସହ ମୁକାବିଲା କଲେ । କରୋନା ବିରୁଦ୍ଧରେ ଲଢ଼େଇ ଲଢ଼ି ଚାଲିବା, ରାସ୍ତା ବାହାର କରିବା । ଭାରତ ଅତି ଦୃଢ଼ତାର ସହ କରୋନା ବିରୁଦ୍ଧରେ ଲଢ଼େଇ କରିଛି । ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ହେଉଥିବା ଏହି ବୈଠକରେ କହିଛନ୍ତି, ଗତ ୨ ବର୍ଷରେ କରୋନାକୁ ନେଇ ୨୪ଟି ବୈଠକ କରାଯାଇଛି । କରୋନା ସମୟରେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପରସ୍ପର ସହ ସହଯୋଗ କରି କାର୍ଯ୍ୟ କରିଛନ୍ତି । ଆଗକୁ ମଧ୍ୟ ଏପରି କାର୍ଯ୍ୟ କରାଯିବ । ଏହା ସହ କରୋନା ବିରୁଦ୍ଧରେ ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓମିକ୍ରନ୍ ଏବଂ ତା’ର ଉପ-ପ୍ରଜାତି ୟୁରୋପରେ ଯେଉଁ ପ୍ରଳୟକାଣ୍ଡ କଲା ଆମେ ଜାଣିଲେ । ଏହି ସବୁ ଉପ-ପ୍ରଜାତି ଯୋଗୁଁ ଗତ ଅଳ୍ପ କେତେ ମାସ ହେବ ଅନେକ ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇଛି । ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଏଥିସହ ଭାରତର କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି କଥା ଦର୍ଶାଇ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ଲାଗି ଜନସାଧାରଣଙ୍କୁ କହିଛନ୍ତି । ସେ କହିଛନ୍ତି, ଗତ ଅଳ୍ପ କିଛି ମାସ ପୂର୍ବେ କୋଭିଡ୍ ଲହର୍ ଆମକୁ ଅନେକ ଶିକ୍ଷା ଦେଇଛି । ଆମେ ଭୟଭୀତ ନ ହୋଇ କୋଭିଡ୍ ସହ ଲଢ଼ିଲେ । ଆମେ ଦେଶରେ ସ୍ୱାସ୍ଥ୍ୟ ଭିତିଭୂମି ଓ ଅମ୍ଳଜାନ ଯୋଗାଣ ସାମର୍ଥ୍ୟ ସୁଦୃଢ଼ କଲେ । ତୃତୀୟ ଲହର୍ ସମୟରେ ପରିସ୍ଥିତି ଅଣାୟତ ହୋଇଥିବା କଥା କୌଣସି ରାଜ୍ୟ ରିପୋର୍ଟ କରିନାହାନ୍ତି । ଏ କ୍ଷେତ୍ରରେ ଆମ ଟିକାକରଣ ଅଭିଯାନ ମଧ୍ୟ ସାହାଯ୍ୟ କରିଛି । ପ୍ରାପ୍ତ ବୟସ୍କ ଜନତାଙ୍କ ମଧ୍ୟରୁ ପ୍ରାୟ ୯୬% କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି । ୧୫ ବର୍ଷରୁ ଊର୍ଦ୍ଧ୍ୱ ୮୫% ତରୁଣ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି । ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ପିଲାମାନଙ୍କୁ ଯଥା ଶୀଘ୍ର ଟିକା ଦିଆଇବା ଉପରେ ଗୁରୁତ୍ୱାରୋପ କରିବା ପାଇଁ ସେ କହିଛନ୍ତି ।
