ଏସସିଓ ଶିଖର ସମ୍ମିଳନୀରେ ପୁଟିନଙ୍କୁ ୩ଡ଼ି ଜ୍ଞାନ ଦେଲେ ମୋଦି, ଜାଣନ୍ତୁ ଏହା କଣ
ଉଜବେକିସ୍ତାନ : ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଜାରି ରହିଥିଲା। ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଙ୍ଗଭଙ୍ଗୀରେ ଋଷର ରାଷ୍ଟ୍ରପତିଙ୍କୁ ଯୁଦ୍ଧକୁ ନେଇ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଆଲୋଚନା ମଧ୍ୟରେ ଡେମୋକ୍ରାସି, ଡିପ୍ଲୋମାସୀ ଓ ଡାଏଲଗର (୩ଡ଼ି) ମନ୍ତ୍ର ପ୍ରଦାନ କରିଛନ୍ତି।
ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବର୍ତ୍ତମାନର ସମୟ ଯୁଦ୍ଧ ନୁହେଁ। ସେ କହିଛନ୍ତି ଯେ କେବଳ ଗଣତନ୍ତ୍ର, କୂଟନୀତି ଏବଂ ସଂଳାପ ବିଶ୍ୱକୁ ସଠିକ୍ ବାର୍ତ୍ତା ଦେବ। ଏହି ସମୟରେ ଶକ୍ତି-ସୁରକ୍ଷା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହାପୂର୍ବରୁ ଏହି ବୈଠକ ଅଧ ଘଣ୍ଟା ଧରି ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଉଭୟଙ୍କ ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା।
ଏହି ସମୟରେ ଋଷର ରାଷ୍ଟ୍ରପତି ଭାରତ ପ୍ରଧାନମନ୍ତ୍ରୀଙ୍କୁ ଋଷ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଥିଲେ। ସେ କହିଛନ୍ତି ଯେ ଆମର ଗଠନମୂଳକ ସମ୍ପର୍କ ମଜବୁତ ରହିଛି। ଏଥିସହ ସେ କହିଛନ୍ତି ଯେ ଭାରତ ସାର ବାବଦରେ ଯେଉଁ ଦାବି କରିଛି, ତାହାକୁ ମଧ୍ୟ ଋଷ ପୂରଣ କରିବ। ଏହା ଭାରତର କୃଷି କ୍ଷେତ୍ରରେ ସହାୟକ ହେବ ବୋଲି ମୋଦି ବେଶ ଆଶାବାଦୀ ରହିଛନ୍ତି। ଏହା ବ୍ୟତୀତ ଏକାଧିକ ପ୍ରସଂଗ ଉପରେ ଆଲୋଚନା ହୋଇଥିବା ନେଇ ସେ କହିଛନ୍ତି। ଗତ ବର୍ଷ ଡିସେମ୍ବରରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନେଇ ସେ କହିଥିଲେ। ଏହି ଗୋଟିଏ ବର୍ଷ ମଧ୍ୟରେ ଏକାଧିକବାର ଟେଲିଫୋନ ମାଧ୍ୟମରେ ଆଲୋଚନା ହୋଇଛି।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ଆପଣଙ୍କୁ ଏବଂ ୟୁକ୍ରେନକୁ କୃତଜ୍ଞତା ଜଣାଉଛି। ସେ କହିଥିଲେ ଯେ ତୁମର ଦୁହିଁଙ୍କ ସାହାଯ୍ୟରେ ଆମେ ଯୁଦ୍ଧ ସମୟରେ ଆମର ଛାତ୍ରମାନଙ୍କୁ ବିପଦରୁ ବାହାର କରିବାରେ ସକ୍ଷମ ହୋଇଥିଲୁ। ସେ କହିଛନ୍ତି ଯେ ଭାରତ-ଋଷର ସମ୍ପର୍କ ବହୁଗୁଣିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ସହ ବନ୍ଧୁତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମେ ଏପରି ବନ୍ଧୁ ଅଟୁ ଯେଉଁମାନେ ଗତ କିଛି ଦଶନ୍ଧି ଧରି ପରସ୍ପର ସହ ଅଛନ୍ତି। ସମଗ୍ର ବିଶ୍ୱ ଆମ ବନ୍ଧୁତ୍ୱ ସମ୍ପର୍କରେ ଅବଗତ ଅଛନ୍ତି। ଯେତେବେଳେ ମୁଁ ୨୦୦୧ରେ ତୁମକୁ ପ୍ରଥମ ଥର ଭେଟିଥିଲି ସେତେବେଳେ ମୁଁ ଜଣେ ମୁଖ୍ୟମନ୍ତ୍ରୀ ଥିଲି। ସେବେଠାରୁ ଆମର ବନ୍ଧୁତା ମଜବୁତ ହେବାରେ ଲାଗିଛି ବୋଲି ମୋଦି କହିଥିଲେ।
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସସିଓ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ କୋରୋନା ମହାମାରୀ ପରେ ସମଗ୍ର ବିଶ୍ୱ ପାଇଁ ଆର୍ଥିକ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଆର୍ଥିକ ଦୃଷ୍ଟିରୁ ଟ୍ରାକକୁ ଫେରିବା ପାଇଁ ସମଗ୍ର ବିଶ୍ୱ ଆଗରେ ଏକ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି। ସେ କହିଛନ୍ତି ଯେ ଭାରତ ଏସସିଓ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ସହଯୋଗକୁ ସମର୍ଥନ କରି ଆସୁଛି। ସେ ଆହୁରି ମଧ୍ୟ କହିଛନ୍ତି କି ମହାମାରୀ ପରେ ଆଜି ଯେତେବେଳେ ସମଗ୍ର ବିଶ୍ୱ ଅର୍ଥନୈତିକ ଆହ୍ୱାନକୁ ସାମ୍ନା କରୁଛି। ଏଭଳି ପରିସ୍ଥିତିରେ ଏସସିଓର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଏସସିଓର ସଦସ୍ୟ ରାଷ୍ଟ୍ର ବିଶ୍ୱ ଜିଡ଼ିପିର ୩୦ ପ୍ରତିଶତ ଯୋଗଦାନ ଦେଇଥାନ୍ତି। ଏପରିକି ଏହି ଏସସିଓ ରାଷ୍ଟ୍ରରେ ସମଗ୍ର ବିଶ୍ୱର ୪୦ ପ୍ରତିଶତ ଲୋକେ ବସବାସ କରନ୍ତି।
ଏହି ଏସସିଓ ରାଷ୍ଟ୍ର ମଧ୍ୟରେ ଭାରତ ଅଧିକ ସହଯୋଗ ଓ ପାରସ୍ପରିକ ବିଶ୍ୱାସକୁ ସମର୍ଥନ କରିଆସୁଛି। ୟୁକ୍ରେନରେ ମହାମାରୀ ଓ ସଂକଟ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବ୍ୟାଘାତ ସୃଷ୍ଟି ହେବା କାରଣରୁ ସମଗ୍ର ବିଶ୍ୱରେ ଖାଦ୍ୟ ସଂକଟର ସାମ୍ନା କରୁଛି। ଏସସିଓ ଆମ ଅଞ୍ଚଳରେ ନିର୍ଭରଯୋଗ୍ୟ, ସ୍ଥାୟୀ ଏବଂ ବିବିଧ ଯୋଗାଣ ଶୃଙ୍ଖଳା ବିକାଶ କରିବାକୁ ଚେଷ୍ଟା କରିବା ଉଚିତ୍ | ଏଥିପାଇଁ ଉନ୍ନତ ସଂଯୋଗୀକରଣ କେବଳ ଆବଶ୍ୟକ ହେବ ନାହିଁ, ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ଯେ ଆମେ ସମସ୍ତେ ପରସ୍ପରକୁ ଗମନାଗମନର ସମ୍ପୂର୍ଣ୍ଣ ଅଧିକାର ଦେବା ଉଚିତ ବୋଲି ମୋଦି କହିଥିଲେ।
