ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସିକନ୍ଦରାବାଦରୁ ବିଶାଖାପାଟଣା ଚାଲିବ ଟ୍ରେନ୍
ହାଇଦ୍ରାବାଦ : ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ । ତେଲଙ୍ଗାନାର ସିକନ୍ଦରାବାଦରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ୍ । ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରବିବାର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଟ୍ରେନ୍ ତେଲେଙ୍ଗାନରୁ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିବ । ସିକନ୍ଦରାବାଦରୁ ବିଶାଖାପାଟଣା ପର୍ଯ୍ୟନ୍ତ ୭୦୦ କିମି ରାସ୍ତାକୁ ୮ ଘଣ୍ଟାରେ ଯାତ୍ରା କରିବ । ଉଭୟ ପଟୁରୁ ଚାଲିବ ଏହି ଟ୍ରେନ୍ । ରାଜମୁନ୍ଦ୍ରି, ବିଜୟଓ୍ବାଡ଼ା ଓ ଓ୍ବାରଙ୍ଗଲରେ ରହଣୀ କରିବ । ଏହା ଦକ୍ଷିଣ ଭାରତ ଦ୍ବିତୀୟ ଏବଂ ଭାରତ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ । ଏହା ପୂର୍ବରୁ ଚେନ୍ନାଇରୁ ମହୀଶୂର ମଧ୍ୟରେ ଗୋଟିଏ ଟ୍ରେନ୍ ଚଲୁଛି ।
ବିଶାଖାପାଟଣାରୁ ସକାଳ ୫.୪୫ରେ ବାହାରି ଦ୍ବିପ୍ରହର ୧୪.୧୫ରେ ସିକନ୍ଦରାବାଦରେ ପହଞ୍ଚିବ । ସେହିପରି ସିକନ୍ଦରାବାଦରୁ ୧୪.୪୫ ମିନିଟରେ ବାହାରି ରାତି ୨୩.୧୫ରେ ବିଶାଖାପାଟଣାରେ ପହଞ୍ଚିବ ଏହି ଟ୍ରେନ୍ । ଏହା ତେଲେଙ୍ଗାନା ଓ ଆନ୍ଧ୍ରକୁ ଯୋଡ଼ିବାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ରାଜଧାନୀରୁ ବାରଣାସୀ ୨୦୧୯ରେ ଆରମ୍ଭ ହୋଇଥିଲା ।
