ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ହେଲିକପ୍ଟର କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁ : କର୍ଣ୍ଣାଟକର ଟୁମକୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ହେଲିକପ୍ଟର କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । କର୍ଣ୍ଣାଟକର ପୁରୁଣା ମୈସୁର ଅଞ୍ଚଳର ଟୁମକୁରୁରେ ଏହାକୁ ନିର୍ମାଣ କରାଯାଇଛି । ରାଜ୍ୟରେ ଆସନ୍ତା କିଛି ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଏହା ପୂର୍ବରୁ ରାଜ୍ୟକୁ ଉପହାର ଦେଇଛନ୍ତି ପିଏମ ମୋଦୀ । ପୁରୁଣା ମୈସୁର ଜେଡିଏସର ମଜଭୁତ ଗଡ଼ ରହି ଆସିଛି । ବିଜେପି ଏହି ଅଞ୍ଚଳର ନିଜର ସ୍ଥିତିକୁ ଅଧିକ ମଜଭୁତ କରିବା ପାଇଁ ପ୍ରୟାସ କରୁଛି ।
ଏଚଏଏଲର ଫ୍ୟାକ୍ଟ୍ରୀ ଉଦଘାଟନ କରିବା ସହ ଏକ ଲାଇଟ୍ ୟୁଟିଲିଟି ହେଲିକପ୍ଟରର ମଧ୍ୟ ସେ ଅନାବରଣ କରିଛନ୍ତି । କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଦେଶର ଏକ ବଡ଼ ହେଲିକପ୍ଟର ଫ୍ୟାକ୍ଟ୍ରୀ ଟୁମକୁରୁକୁ ମିଳିଛି । ଆଜି ଟୁମକୁରୁ ଇଣ୍ଡଷ୍ଟ୍ରିୟଲ ଟାଉନଶିପର ଶିଳାନ୍ୟାସ ହୋଇଛି । ଏହାସହ ଟୁମକୁରୁ ଅଞ୍ଚଳର ଶହ ଶହ ଗାଁରେ ପାଣି ପହଞ୍ଚାଇବା ଯୋଜନା ଉପରେ ମଧ୍ୟ କାମ ଆରମ୍ଭ ହୋଇଛି ।
ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ କରି ପିଏମ ମୋଦୀ କହିଛନ୍ତି, ‘ଏହି ଏଚଏଏଲ ଜରିଆରେ ଆମ ସରକାର ଉପରେ ଅନେକ ମିଛ ଅଭିଯୋଗ ଅଣାଯାଇଥିଲା । ଏହି ଏଚଏଏଲ ନାଁ ନେଇ ଲୋକଙ୍କୁ ଭ୍ରମିତ କରାଇବାକୁ ଉଦ୍ୟମ କରାଯାଇଥିଲା, କିନ୍ତୁ ମିଛ ଯେତେ ବଡ଼ ହେଲେ ମଧ୍ୟ ସତ ଆଗରେ ଦିନେ ପରାଜିତ ହୋଇଥାଏ । ସଂସଦର ଅନେକ ଉପଯୋଗୀ ସମୟ ଏହା ଉପରେ ବରବାଦ କରି ଦିଆଗଲା । ଏଚଏଏଲର ହେଲିକପ୍ଟର ପ୍ୟାକ୍ଟ୍ରୀ ଏବଂ ଏହାର ବଢୁଥିବା ଶକ୍ତି ମିଛ ଅଭିଯୋଗ ଉପରୁ ପରଦା ଉଠାଇ ଦେଇଛି’ । ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ଏଚଏଏଲ କର୍ମଚାରୀଙ୍କୁ ଭେଟିଥିଲେ । ଏହାପରେ କେନ୍ଦ୍ର ସରକାର ଏଚଏଏଲର ଅପମାନ କରୁଥିବା ରାହୁଲ ଅଭିଯୋଗ ଆଣିଥିଲେ ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି,’ଏହି ଫ୍ୟାକ୍ଟ୍ରୀ ଦ୍ୱାରା ରାଜ୍ୟକୁ ଲାଭ ମିଳିବ ଏବଂ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ହଜାର ଲୋକଙ୍କୁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମିଳିବ’ । ପୁରୁଣା ମୈସୁର ଅଞ୍ଚଳ ବୋକାଲିଙ୍ଗା ବହୁଳ ଏବଂ ଏହି ଅଞ୍ଚଳରେ ବିଜେପି ସ୍ଥିତି ଦୁର୍ବଳ ରହିଛି । ଏହି ଅଞ୍ଚଳରେ ୫୯ ବିଧାନସଭା ଆସନ ରହିଛି । ୨୦୧୮ ନିର୍ବାଚନରେ ବିଜେପି ଏହି ଅଞ୍ଚଳରୁ ମାତ୍ର ୯ଟି ଆସନ ଜିତିବାରେ ସଫଳ ହୋଇଥିଲା ।
