ଚିନ୍ତନ ଶିବିରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରାଜ୍ୟ ଗୃହମନ୍ତ୍ରୀଙ୍କ “ଚିନ୍ତନ ଶିବିର” କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଇନ-ଶୃଙ୍ଖଳା ରକ୍ଷା ରାଜ୍ୟମାନଙ୍କର ଦାୟିତ୍ୱ ହେଲେ ବି ତାହା ଦେଶର ଏକତା ଓ ଅଖଣ୍ଡତା ସହ ସମ୍ପୃକ୍ତ ରହିଛି । ଉପାୟ କରି ସମସ୍ୟା ସମାଧାନ କରିବା ନିମନ୍ତେ ହରିୟାଣାର ସୂରଜକୁଣ୍ଡରେ ଚାଲିଥିବା ଏହି ଅଧିବେଶନ ହେଉଛି ସମବାୟ ସଂଘବାଦର ଚମତ୍କାର ଦୃଷ୍ଟାନ୍ତ । ସେ କହିଛନ୍ତି, ରାଜ୍ୟମାନେ ପରସ୍ପରଠାରୁ ଶିଖି ପାରିବେ, ପରସ୍ପରଠାରୁ ପ୍ରେରଣା ପାଇ ପାରିବେ ଏବଂ ଦେଶର ଉନ୍ନତି ପାଇଁ ଏକତ୍ର ହୋଇ କାମ କରିବେ । ଏହା ହେଉଛି ଆମ ସମ୍ବିଧାନର ଭାବଧାରା ଓ ନାଗରିକମାନଙ୍କ ପ୍ରତି ଆମର କର୍ତବ୍ୟ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରାଧ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ କ୍ଷେତ୍ରକୁ ବ୍ୟାପୁଥିବାରୁ ଆଇନ-ଶୃଙ୍ଖଳା ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ନୁହେଁ । ସୀମାପାରିରୁ ଅପରାଧି ମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଥିବାରୁ ରାଜ୍ୟ ଓ କେନ୍ଦ୍ରୀୟ ଆଇନ ପ୍ରଣୟନ ଏଜେନ୍ସିମାନଙ୍କର ସମନ୍ୱୟ ଆବଶ୍ୟକ ।
ଏହି ସମୟରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର ଗୃହ ସଚିବ ଡିଜିପି, ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି । ଏହି ସମୟରେ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, କେହି ବନ୍ଧୁକ ଧରି ଆଉ କେହି କଲମ ଧରି ନକ୍ସଲବାଦକୁ ବଢାଉଛନ୍ତି । ଏମାନଙ୍କ ପାଇଁ କିଛି ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ ବୋଲି ସେ କହିଥିଲେ । ଏପରି କହି ମୋଦୀ ଫେକ ନ୍ୟୁଜ ତିଆରି କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରିଛନ୍ତି । ଏପରି ହେବା ଦ୍ୱାରା ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ଏଥିସହ ସେ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ଅମୃତକାଳରେ ଅଛୁ ଏବଂ ଏହି ସମୟ ମଧ୍ୟରେ ଆମକୁ ‘ପଂଚ ପ୍ରାଣ’ର ଉଦ୍ଦେଶ୍ୟ କିଭଳି ପୂରଣ ହେବ ସେ ଦିଗରେ କାମ କରିବାକୁ ହେବ ବୋଲି କହିଥିଲେ । ଗତ କିଛି ବର୍ଷ ମଧ୍ୟରେ, ତୃଣମୂଳ ସ୍ତରରେ ଆତଙ୍କବାଦ ନେଟୱର୍କକୁ ହଟାଇବା ପାଇଁ ସମସ୍ତ ସରକାର ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ଭାବେ କାମ କରିଛନ୍ତି । ଆମ ସୈନ୍ୟବାହିନୀକୁ ଏକତ୍ର କରି ଏହାର ସାମ୍ନା କରିବାକୁ ପଡିବ । ଆମକୁ ସମସ୍ତ ପ୍ରକାରର ନକ୍ସଲବାଦକୁ ଶେଷ କରିବାକୁ ପଡିବ । ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବାକୁ ସମସ୍ତ ରାଜ୍ୟ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇନ ଏବଂ ଶୃଙ୍ଖଳା ବିକାଶ ସହିତ ସିଧାସଳଖ ଜଡିତ, ତେଣୁ ଶାନ୍ତି ବଜାୟ ରଖିବା ସମସ୍ତଙ୍କ ଦାୟିତ୍ୱ । ପ୍ରତ୍ୟେକ ରାଜ୍ୟ ପରସ୍ପରଠାରୁ ଶିଖିବା, ପ୍ରେରଣା ନେବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବା ଉଚିତ୍ ବୋଲି ମୋଦୀ କହିଛନ୍ତି ।
